ବେଆଇନ କ୍ରସର, ବଢୁଛି ପ୍ରଦୂଷଣ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ସିଆ ନିୟମ ଉଲ୍ଲଙ୍ଘନ କରି ଘଟଗାଁ ତହସିଲ ଢେଙ୍କିକୋଟ ରାଜସ୍ବ ସର୍କଲ ଅନ୍ତର୍ଗତ ଖଣ୍ଟଘରଠାରେ ଏକ ପଥର ଖଣି ଲିଜ୍‌ ନିକଟରେ ଆଦିବାସୀ ଜମିରେ ଏକ ସଂସ୍ଥା କ୍ରସର ଏବଂ ଦୁଇଟି ପିଚୁ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାକୁ ନେଇ ରାଜସ୍ବ ବିଭାଗ ତଥା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କିପରି ଜାଣି ପାରୁନାହାନ୍ତି କିମ୍ବା ଜାଣି ଚୁପ୍‌ ରହିଛନ୍ତି ତାହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ପ୍ରକାଶ ଯେ, ଘଟଗାଁ ତହସିଲ ଢେଙ୍କିକୋଟ ରାଜସ୍ବ ସର୍କଲ ଅନ୍ତର୍ଗତ ଖଣ୍ଟଘର ନିକଟ ଖଜୁରୀଜୁଆଣୀ ଠାରେ ଏନ୍‌ଏଚ୍‌ ୨୦ର ବକେୟା କାମ ପାଇଁ ଏକ ପଥର ଖଣି ଲିଜ୍‌ ଦିଆଯାଇଛି। ତେବେ ଏହା ପରିସରରେ ବେଆଇନ ଭାବେ ଏକ କ୍ରସର ଦୀର୍ଘ ବର୍ଷ ଧରି ଚାଲିଆସୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଜିଲା ପ୍ରଶାସନ ଠାରୁ ସାଇଟିଂ କ୍ରାଇଟେରିଆ ସାର୍ଟିଫିକେଟ ମିଳି ନ ଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ମଧ୍ୟ ସିଟିଓ ବା କନସେଣ୍ଟ- ଟୁ – ଅପରେଟ ନ ପାଇ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି। ଏଣୁ ଏହାର ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତପ୍ରକାଶ ପାଉଛି। ଏହି କ୍ରସରଟି ଖଣ୍ଟଘର ମୌଜାର ଖାତା ନଂ ୫୦, ପ୍ଲଟ ନଂ ୩୬୮ର ଏକ ଘରବାଡ଼ି କିସମରେ ୨ ଏକର ୯୦ ଡିସିମିଲ ଆଦିବାସୀ ଜମିରେ ପ୍ରତିଷ୍ଠା ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।