ବେଆଇନ ଗୋ ଚାଲାଣ: ପୋଲିସର ନିଷ୍କ୍ରିୟତା ବିରୋଧରେ ରାସ୍ତାରୋକୋ

ଭଦ୍ରକ ଅଫିସ,୨।୨: କଣ୍ଟେନରରେ ଲେଖା ହୋଇଛି ଡାକ ପାର୍ସଲ, ମାତ୍ର ଭିତରେ ବୋଝେଇ ହୋଇଛନ୍ତି ଗୋରୁ । ବେଆଇନ୍‌ ଗୋ ଚାଲାଣକୁ ବିରୋଧ କରିବା ସହ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ସୋମବାର ରାତିରେ ଭଦ୍ରକ ଶନି ମନ୍ଦିର ଛକ ଓ ବସଷ୍ଟାଣ୍ଡଠାରେ ଉତ୍ୟକ୍ତ ଲୋକେ ରାସ୍ତାରୋକୋ କରିଛନ୍ତି। ଏକ କଣ୍ଟେନରରେ ଗୋରୁ ବୋଝେଇ କରି ନେଉଥିବା ବେଳେ ପୁରୁଣା ବଜାର ଅଞ୍ଚଳରୁ ପୋଲିସ ଜବତ କରିଥିଲା। ଡାକ ପାର୍ସଲ ଲେଖାଥିବା ସତ୍ତ୍ୱେ ଏହି ଗାଡିରେ ୯ଟି ଷଣ୍ଢ, ୩ଟି ଗାଈ ଚାଲାଣ ହେଉଥିଲା। ଗାଡ଼ିରୁ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଥିଲେ।
ଜବତ ଗାଡିକୁ ପୋଲିସ ଗୋଶାଳାକୁ ନେଉଥିବା ବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଗାଡ଼ି ଆଗରେ ଲୋକେ ଧାରଣା ଦେଇଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ଓ ଏସ୍‌ପି ଚରଣ ସିଂ ମିନା ପହଞ୍ଚି ବୁଝାସୁଝା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ତେବେ ଲୋକେ ଏହି ଚାଲାଣ ପଛରେ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।