ବଢୁଛି ବେଆଇନ ଇଟାଭାଟି

ବାଲିମେଳା,୨୮ା୪(ଡି.ଏନ୍‌.ଏ.): ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବହୁ ଅଞ୍ଚଳରେ ବେଆଇନ ଇଟାଭାଟି ବଢିବାରେ ଲାଗିଛି। ଫଳରେ ପରିବେଶ ଦୂଷିତ ହେବା ସହ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ସମସ୍ତ ସରକାରୀ ନିୟମକୁ ଉପେକ୍ଷାକରି ଇଟାଭାଟି ମାଲିକମାନେ ଇଟାଭାଟି କରିଚାଲିଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବେଆଇନ ଭାବେ ଗଢି ଉଠିଥିବା ଏହିସବୁ ଇଟାଭାଟି ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଅବଗତ ଥିଲେ ନ ଜାଣିବା ପରି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏହାଦ୍ୱାରା ପ୍ରତିବର୍ଷ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି। ବିଭାଗୀୟ କର୍ମଚାରୀମାନେ କେବେ କେମିତି ଇଟାଭାଟିରେ ଚଢ଼ାଉକରି ନୀରବ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ଥାନରେ ଏପରି ଗଢି ଉଠିଥିବା ବେଆଇନ ଭାଟିଗୁଡିକ ଉପରେ ଚଢ଼ାଉକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।