ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। ଥୁଆମୂଳ ରାମପୁର ନର୍ଥ ରେଞ୍ଜ ଅଧୀନରେ ଥିବା କିରକିଚା ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମୂଲ୍ୟବାନ ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ, ସଚେତନ ଗ୍ରାମବାସୀଙ୍କ ତତ୍ପରତା ଯୋଗୁ ଏହି ଚୋରା କାରବାରର ପର୍ଦ୍ଦାଫାଶ ହୋଇଛି। ଗ୍ରାମବାସୀ ସାହସର ସହ କାଠ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏହି ବେଆଇନ କାରବାର ପଛରେ ରଣପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବନମାଳୀ ମାଝୀ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି।
ଗତ ଶନିବାର (୨୩ ତାରିଖ) ବିଳମ୍ବିତ ରାତିରେ କିରକିଚା ସଂରକ୍ଷିତ ଜଙ୍ଗଲରୁ କିଛି ମାଫିଆ ଗଛ କାଟି ଏକ ଟ୍ରାକ୍ଟର ସାହାଯ୍ୟରେ ଶାଳ କାଠ ଗଣ୍ଡିଗୁଡ଼ିକୁ ଚୋରା ଚାଲାଣ କରୁଥିଲେ। ଏହି ସମୟରେ କିରକିଚା ଗ୍ରାମର ଲୋକମାନେ ଗାଡ଼ିର ଗତିବିଧି ଉପରେ ସନ୍ଦେହ କରି OD08J4876 ନମ୍ବର ବିଶିଷ୍ଟ ଟ୍ରାକ୍ଟର ଏବଂ ଏହା ସହ ଲାଗିଥିବା OD08J 4122 ନମ୍ବର ବିଶିଷ୍ଟ ଟ୍ରଲିକୁ ଅଟକ ରଖିଥିଲେ। ଟ୍ରାକ୍ଟରରେ ବିପୁଳ ପରିମାଣର ଶାଳ କାଠ ବଳୀ ଖୁଣ୍ଟ ଲୋଡ ହୋଇଥିବା ଦେଖି ଗ୍ରାମବାସୀ ତୁରନ୍ତ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ ଏବଂ ଗାଡ଼ିକୁ ବନ କର୍ମଚାରୀଙ୍କ ଜିମା ଦେଇଥିଲେ।
ଏହି ଘଟଣା ପରେ ସମ୍ପୃକ୍ତ ଟ୍ରାକ୍ଟର ମାଲିକ ତଥା ପ୍ରଧାନ ଶିକ୍ଷକ ବନମାଳୀ ମାଝୀ ଉତକ୍ଷିପ୍ତ ହୋଇ ଗ୍ରାମବାସୀଙ୍କ ଉପରେ ବର୍ଷିଥିଲେ। ସେ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାହାରୁ ଗୁଣ୍ଡା ଲଗାଇ ମାଡ଼ ମାରିବାକୁ ଖୋଲାଖୋଲି ଧମକ ଦେଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ଜଣେ ସରକାରୀ ଶିକ୍ଷକଙ୍କ ଏଭଳି ଦାଦାଗିରି ଓ ଆଇନ ବିରୋଧୀ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏନେଇ ସାଇସୁରୁଣୀ ଫରେଷ୍ଟର ନିହାର ରଞ୍ଜନ ଠାକୁରଙ୍କୁ ପଚାରିବାରୁ ସେ କହିଛନ୍ତି, “ଗ୍ରାମବାସୀମାନେ ଆମକୁ ଗାଡ଼ି ଜିମା ଦେଇଛନ୍ତି। ଆମେ OD 08J4876 ନମ୍ବର ବିଶିଷ୍ଟ ଟ୍ରାକ୍ଟର ସହ ସେଥିରେ ଥିବା ସମସ୍ତ ଶାଳ ଗଛର ବଳୀ ଖୁଣ୍ଟକୁ ଜବତ କରିଛୁ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ଗାଡ଼ିଟି ଶିକ୍ଷକ ବନମାଳୀ ମାଝୀଙ୍କ ଭାଈଙ୍କ ନାମରେ ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗରୁ ଏହି ବିଷୟରେ ବନ ବିଭାଗ ପାଖରେ କୌଣସି ଅଭିଯୋଗ ନଥିଲା, ମାତ୍ର ଆଗାମୀ ଦିନରେ ଯିଏ ମଧ୍ୟ ଏଭଳି କାଠ ଚୋରାଚାଲାଣ କରିବ ଏବଂ ଆମକୁ ସୂଚନା ମିଳିବ, ତେବେ ବନ ବିଭାଗ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପଟେ ଘଟଣାଟି ଏବେ ଏକ ନୂଆ ମୋଡ଼ ନେଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଇସୁରୁଣୀ ବନ ବିଭାଗ କାର୍ଯ୍ୟାଳୟରେ କିଛି ପ୍ରଭାବଶାଳୀ ଲୋକ ଓ ମାଫିଆଙ୍କ ପକ୍ଷ ସମର୍ଥନକାରୀ ଆସି ପହଞ୍ଚିଛନ୍ତି। ଶିକ୍ଷକଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚାଇବା ଏବଂ ଜବତ ଟ୍ରାକ୍ଟରକୁ କୌଣସି ମାମଲା ନକରି ଛାଡ଼ି ଦେବା ପାଇଁ ସେମାନେ ଫରେଷ୍ଟ ଅଫିସରେ ଆସି ଫରେଷ୍ଟରମାନଙ୍କ ଉପରେ ଚାପ ପକାଉଥିବା ଖବର ମିଳିଛି।
ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ସାଇସୁରୁଣୀ ରେଞ୍ଜର ଓ ଫରେଷ୍ଟରଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ତରଫରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ, ଯାହାକୁ ନେଇ ଜନସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ଏଭଳି ସ୍ଥିତିରେ ବନ ବିଭାଗ କୌଣସି ଚାପରେ ନଆସି, ଜଣେ ସରକାରୀ ଶିକ୍ଷକଙ୍କ ଏଭଳି ଅପରାଧିକ କାର୍ଯ୍ୟ ବିରୋଧରେ କଠୋର ପଦକ୍ଷେପ ନେଉଛି ନା ମାଫିଆ ଓ ପ୍ରଭାବଶାଳୀ ଗୋଷ୍ଠୀ ଆଗରେ ଆଣ୍ଠୁ ମାଡୁଛି, ତାହା ଉପରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲ ନଜର ରଖିଛନ୍ତି।