‘ସିନେଟ୍‌ରେ ଦେଖିନେବି’

ଓ୍ବାଶିଂଟନ,୧୫ା୧:୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରେ ଏକଚ୍ଛତ୍ରବାଦୀ ନେତା ଥିଲେ। ହ୍ବାଇଟ୍‌ ହାଉସ୍‌କୁ ଦ୍ୱିତୀୟ ଥର ଯିବା ପାଇଁ ଦଳରେ ସେ ଏକମାତ୍ର ପ୍ରାର୍ଥୀ ଥିବାବେଳେ ଡେମୋକ୍ରାଟିକ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। ସେତେବେଳେ ଟ୍ରମ୍ପ୍‌ ଉପହାସ କରି ଟୁଇଟ୍‌ କରିଥିଲେ, ଆମେ ତୁମକୁ ମିସ୍‌ କରିବୁ। ଏବେ ସମୟର ଚକ ଘୂରିଛି। ଟ୍ରମ୍ପ୍‌ଙ୍କ ପାଳି ଖରାପ ପଡ଼ିଛି। ହାରିସ୍‌ ଟୁଇଟରରେ ତାଙ୍କୁ ଜବାବ ଦେଇଛନ୍ତି, ରାଷ୍ଟ୍ରପତି ମହୋଦୟ, ଚିନ୍ତା କରନ୍ତୁ ନାହିଁ। ଆପଣଙ୍କୁ ସିନେଟରେ ଶୁଣାଣି ବେଳେ ଦେଖିନେବି।
ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ବୁଧବାର ବିଳମ୍ବିତ ରାତିରେ ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ୨୩୨-୧୯୭ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହୋଇଛି। ଏବେ ସିନେଟରେ ଏହାର ଶୁଣାଣି ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବାର ସାମର୍ଥ୍ୟ ରଖୁଥିବା ସିନେଟରେ ରିପବ୍ଲିକାନ୍‌ ନେତା ମିଚ୍‌ ମେକ୍‌କୋନ୍ନେଲ କହିଛନ୍ତି, ଜାନୁୟାରୀ ୨୦ରେ ଟ୍ରମ୍ପ୍‌ ଅଫିସ ଛାଡ଼ିବା ପରେ ଯାଇ ମହାଭିଯୋଗ ପ୍ରସ୍ତାବକୁ ଉଚ୍ଚ ସଦନକୁ ପଠାଯିବ। ସିନେଟରେ ଉଭୟ ଡେମୋକ୍ରାଟ୍‌ ଓ ରିପବ୍ଲିକାନ୍‌ ପାର୍ଟିର ପଲା ଏବେ ପ୍ରାୟ ସମାନ ଅଛି। କିନ୍ତୁ ହାରିସ୍‌ ଉପରାଷ୍ଟ୍ରପତି ଭାବେ ଶପଥନେଇ ଗୃହରେ ଅଧ୍ୟକ୍ଷତା କରିବା ବେଳକୁ ଜର୍ଜିଆର ଦୁଇଜଣ ନବନିର୍ବାଚିତ ଡେମୋକ୍ରାଟ ମଧ୍ୟ ସେଠାକୁ ଯାଇସାରିଥିବେ। ତେଣୁ ଟ୍ରମ୍ପ୍‌ଙ୍କ ଭାଗ୍ୟ ନିର୍ଣ୍ଣୟ ବେଳେ ହାରିସ୍‌ଙ୍କ ଭୂମିକା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ହାରିସ୍‌ ଟ୍ରମ୍ପ୍‌ଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି।

Share