ଅକ୍ଟୋବର-ନଭେମ୍ବରରେ ଆସିବ କରୋନାର ତୃତୀୟ ଲହର, ଯାହା ହେବନାହିଁ ଭୟଙ୍କର: ଆଇଆଇଟି କାନପୁର

କାନପୁର,୧୯ ।୭: କରୋନା ଭାଇରସର ଦ୍ୱିତୀୟ ଲହରକୁ ଲୋକେ କେବେବି ଭୁଲିବେ ନାହିଁ । ସେହି ଭୟାବହ ଦୃଶ୍ୟକୁ ମନେପକାଇ ଆଜିବି ଆଖିର ଲୁହକୁ ଅଟକାଇ ପାରନ୍ତି ନାହିଁ ଅନେକ ପରିବାର । କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି । ଏହା ଦ୍ୱିତୀୟ ଅପେକ୍ଷା ଅଧୁକ କ୍ଷତି ଘଟାଇବ ବୋଲି କୁହାଯାଉଛି । ଏହାରି ମଧ୍ୟରେ କିନ୍ତୁ ଆଇଆଇଟି କାନପୁରର ପ୍ରଫେସର ନିଶ୍ୱାସ ନେବା ଭଳି ଏକ ଖବର ଦେଇଛନ୍ତି । ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଗାଣିତିକ ବିଶ୍ଳେଷର ‘ସୂତ୍ର’ ଆଧାରରେ କହିଛନ୍ତି କି କରୋନାର ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଏତେ ମାରାତ୍ମକ ହେବ ନାହିଁ । ଏହା ଅକ୍ଟୋବର-ନଭେମ୍ବର ମଧ୍ୟ ଭାଗରେ ଆସିପାରେ । ପ୍ରଫେସର ଅଗ୍ରୱାଲ କହିଛନ୍ତି ତୃତୀୟ ଲହରର ଆକଳନ ପାଇଁ ଆମେ ଗତ ଏକ ମାସ ହେବ ଆମ ମଡେଲ ମାଧ୍ୟମରେ ଖୁବ୍ ଗଣନା କରିଛୁ । ଯାହାର ଏହା ହେଉଛି ଫଳାଫଳ । ଏହି ଗବେଷଣାରୁ ଜଣାପଡିଛି କି ଯଦି କୌଣସି ନୂଆ ଭାରିଏଣ୍ଟ ଅଗଷ୍ଟ ଶେଷ ବେଳକୁ ଆସିଯାଉଛି, ଯାହା ଡେଲ୍ଟା ଭାରିଏଣ୍ଟ ଠାରୁ ବି ଦ୍ରୁତ ବେଗରେ ସଂକ୍ରମିତ କରୁଛି, ତାହାହେଲେ ତୃତୀୟ ଲହର ଦେଶକୁ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆସିପାରେ । ଯାହା ଦ୍ୱିତୀୟ ଭଳି ମାରାତ୍ମକ ନ ହୋଇ ପ୍ରଥମ ଭଳି ରହିବ ।

Share