ଆଇଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ମାତ୍ର ୬୫୦ ଟଙ୍କାରେ ହେବ କରୋନା ଯାଞ୍ଚ

ନୂଆଦିଲ୍ଲୀ,୧୫।୭: ଆଇଆଇଟି ଦିଲ୍ଲୀ ପକ୍ଷରୁ କରୋନା ଯାଞ୍ଚ ପାଇଁ ଏକ ନୂଆ କିଟ୍‌ର ଆବିଷ୍କାର କରାଯାଇଛି। ଏହି କିଟ୍‌ ଉନ୍ନତ ଧରଣର ହୋଇଥିବା ବେଳେ କରୋନା ଯାଞ୍ଚର ସଠିକ୍‌ ଫଳାଫଳ ମାତ୍ର ୩ଘଣ୍ଟାରେ ଉପଲବ୍ଧ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କିଟ୍‌ର ଦାମ୍‌ ମାତ୍ର ୬୫୦ଟଙ୍କା ରହିଛି। ବୁଧବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଅନ୍‌ଲାଇନ୍‌ ଜରିଆରେ ଏହି କିଟ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନିଶଙ୍କ ଏହାକୁ ଐତିହାସିକ ଶୁଭାରମ୍ଭ ବୋଲି କହିବା ସହ ଡାଇଗ୍ନୋଷ୍ଟିକ କିଟ୍‌ର ବିକାଶ ପାଇଁ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳକୁ ପ୍ରଶଂସା କରିଛନ୍ତି। ଏହି ଟେଷ୍ଟ କିଟ୍‌ର ନାଁ ‘କରୋସର୍‌’ ରଖାଯାଇଥିବା ଜଣାପଡିଛି। ଏହି କିଟ୍‌ ଖୁବ୍‌ଶୀଘ୍ର ସୁଲଭ ଦରରେ ବଜାରରେ ମିଳିପାରିବ। ଏହାକୁ ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଓ ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜି) ଅନୁମୋଦନ କରିଥିବା ସୂଚନା ରହିଛି। ପୂର୍ବରୁ ଅନ୍ୟ ଦେଶରୁ ଆମଦାନୀ ହେଉଥିବା କୋଭିଡ-୧୯ ଟେଷ୍ଟ କିଟ୍‌ର ଦାମ୍‌ ଅପେକ୍ଷା ଏହା ବେଶ୍‌ ଶସ୍ତା ଅଟେ ବୋଲି ନିଶଙ୍କ କହିଛନ୍ତି।

Share