ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପୂର୍ବତନ ଆଇଆଇସି

କଟକ ଅଫିସ,୧୭।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ ଅଭିଯୋଗରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଥିଲେ। ତଳ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଏବେ ସେ ଏଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଥାନାରେ ଜଣେ ୧୩ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲା। ଏନେଇ ରାଏବୋଗା ଥାନାରେ ଏକ ମାମଲା ରୁଜୁ ହୋଇଛି। ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରି ଗତ ୧ ତାରିଖରେ ଅଭିଯୁକ୍ତ ପୂର୍ବତନ ଥାନା ଆଇଆଇସି ମାଝୀଙ୍କୁ ଅନୁଗୋଳ ଜିଲା ହଣ୍ଡପାରୁ ଗିରଫ କରିଥିଲା। ପରେ ଗର୍ଭପାତ କରାଇଥିବା ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଦେବାଶିଷ ଘୋଷ ମଧ୍ୟ ଗିରଫ ହୋଇଥିଲେ। ତଳ ଅଦାଲତରେ ମାଝୀଙ୍କୁ ହାଜର କରିବା ପରେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଥିଲା।