ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ ଅନୈତିକ କାର୍ଯ୍ୟ କଲେ ତାକୁ ଅନ୍ୟମାନେ କଠୋର ସମାଲୋଚନା କରୁଛନ୍ତିି, ମାତ୍ର ନିଜ କଥା ଉଠିଲେ ସମସ୍ତ ଅନୀତି ନୀତିରେ ପରିଣତ ହୋଇଯାଉଛି। ନୀତିର ସଂଜ୍ଞା ବଦଳିଯାଉଛି। ନିଜ ସପକ୍ଷରେ ମଣିଷ ଅଦ୍ଭୁତ ଯୁକ୍ତି କରୁଛି। ଏକାଧିକ ଉଦାହରଣ ଦେଉଛି। ଉତ୍ତରଦାୟିତ୍ୱକୁ ଉପେକ୍ଷା କରୁଛି। ଅନ୍ୟ ଉପରେ ଦୋଷ ଲଦିଦେଇ ନିଜକୁ ଦାୟିତ୍ୱମୁକ୍ତ କରୁଛି।
ନୈତିକତା ଓ ଉତ୍ତରଦାୟିତ୍ୱ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯାହାର ନୈତିକତା ନାହିଁ ତା’ ନିକଟରେ ଉତ୍ତରଦାୟିତ୍ୱ ଖୋଜିବା ବୃଥା। ଏହି ଅବସରରେ ବିଶିଷ୍ଟ ଗୀତିକାର ପ୍ରଫୁଲ୍ଲ କରଙ୍କ ନିବେଦିତ ଏକ ସଙ୍ଗୀତ ମନେପଡ଼ୁଛି। ”ଫୁଲ ଗଛ ତୁ କାହିଁକି ମଲୁ, ନା ଗାଈ ଖାଇଦେଲା ବୋଲି। ଗାଈ ତୁ କାହିଁକି ଖାଇଲୁ, ନା ଗଉଡ଼ ଜଗିଲା ନାହିଁ। ଗଉଡ଼ କାହିଁକି ଜଗିଲୁ ନାହିଁ, ମାଲିକାଣୀ ଠିକ୍‌ ସମୟରେ ଖାଇବାକୁ ଦେଲା ନାହିଁ। ମାଲିକାଣୀ ଠିକ୍‌ ସମୟରେ କାହିଁକି ଖାଇବାକୁ ଦେଲୁ ନାହିଁ? ଉତ୍ତର ଥିଲା ପିଲା କାନ୍ଦିଲା ବୋଲି। ପିଲା କାହିଁକି କାନ୍ଦିଲା? ଜନ୍ଦାଟିଏ କାମୁଡ଼ି ଦେଲା ବୋଲି। ଜନ୍ଦା ତୁ କାହିଁକି କାମୁଡ଼ିଲୁ? ଜନ୍ଦାର ଉତ୍ତର ହେଲା, ସେ ମାଟି ତଳେ ରହେ, କଅଁଳ ମାଉଁସ ପାଇଲେ କାମୁଡ଼ିବା ତାର ଅଭ୍ୟାସ।“ ଅର୍ଥାତ୍‌ ଆମ ସମାଜରେ କେହି ଉତ୍ତରଦାୟୀ ହେବାକୁ ଚାହାନ୍ତି ନାହିଁ। ଦାୟିତ୍ୱ ହସ୍ତାନ୍ତର କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ଶେଷରେ ଆମେ ଯାହାକୁ ଦୋଷୀ ସାବ୍ୟସ୍ତ କରୁ ତା’ ଉପରେ କୌଣସି ଦଣ୍ଡବିଧାନ ହେବାର ଜୁ ନ ଥାଏ। ସେ ହୁଏତ ଗୋଟିଏ ନିର୍ଜୀବ ବସ୍ତୁ ହୋଇଥିବ ଅଥବା ଗୋରୁ, ମେଣ୍ଢା, ଛେଳି, କୁକୁର, ବିଲେଇ ଭିତରୁ କିଏ ହୋଇଥିବ। ଏଠାରେ ସରକାରୀ ଅର୍ଥରେ କୂଅ ଖନନ ହୁଏ, ରାସ୍ତା ତିଆରି ହୁଏ। ମାତ୍ର ନଥିପତ୍ରରେ। ଅଭିଯୋଗ ହେଲେ ତୁରନ୍ତ କମିଟି ବସେ। ଶେଷରେ କମିଟି ରିପୋର୍ଟ ଦିଏ କୂଅ ଚୋରି ହୋଇଯାଇଛି। ରାସ୍ତା ନଦୀରେ ଧୋଇଯାଇଛି।
ଏହି ଉତ୍ତରଦାୟିତ୍ୱ କଥା ଯେତେବେଳେ ଉଠେ ଲୋକମାନେ କୁହନ୍ତିି, ”ସେ କାଳ ପଖାଳ କ’ଣ ଆଉ ଅଛି? ସବୁକିଛି ବଦଳିଯାଇଛି।“ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପରି ନୀତିନିଷ୍ଠ ନେତା ଅଛନ୍ତି ନା କେବେ ଜନ୍ମହେବେ! ସେ ସିନା ରେଳ ଦୁର୍ଘଟଣାଟିଏ ହେଲା ବୋଲି ନୈତିକତା ଦୃଷ୍ଟିକୋଣରୁ ରେଳମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। କେବଳ ଏତିକିରେ ପରିସମାପ୍ତି ଘଟୁନାହିଁ ଲୋକଙ୍କ ମତ ଓ ମନ୍ତବ୍ୟ। ଅନୈତିକତା ସପକ୍ଷରେ ଯୁକ୍ତି ବାଢ଼ିବା ଏବଂ ଉତ୍ତରଦାୟିତ୍ୱକୁ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିବା ବ୍ୟକ୍ତିଙ୍କ ସମର୍ଥନରେ ଢାଲ ହୋଇ ଠିଆ ହେଉଛନ୍ତି ବେଶ୍‌ କେତେଜଣ ଲୋକ। ଏହା ହିଁ ଦୁର୍ଭାଗ୍ୟଜନକ। ଅନ୍ୟାୟ, ଅନୀତି, ଦୁର୍ନୀତିକୁ ଯଦି ବିରୋଧ କରିବାର ସାହସ ସଞ୍ଚୟ କରିପାରୁ ନାହଁ ତେବେ ଆପାତତଃ ନୀରବ ରୁହ ଭଲା।
ଅତୀତର ପୃଷ୍ଠା ଲେଉଟାଇଲେ ଆମେ ଅନେକ ଉଦାହରଣ ପାଇବା ଯେଉଁଥିରେ ବହୁ ବଡ଼ ବଡ଼ ବ୍ୟକ୍ତି ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି କିମ୍ବା ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି। ମଦ ମୃତ୍ୟୁ ହେଲେ ଅବକାରୀ ମନ୍ତ୍ରୀ, ରେଳ ଦୁର୍ଘଟଣା ହେଲେ ରେଳମନ୍ତ୍ରୀ, ବିମାନ ଦୁର୍ଘଟଣାରେ ବିମାନ ମନ୍ତ୍ରୀ ଇସ୍ତଫା ଦେବାର ବହୁ ନଜିର ରହିଛି। କିନ୍ତୁ ସମ୍ପ୍ରତି ଯାହା ହେଉ, ଯେତେବଡ଼ ଦୁର୍ଘଟଣା ଘଟୁ, ଯେତେ ଲୋକ ମରୁଛନ୍ତି ମରନ୍ତୁ କେହି ଉତ୍ତରଦାୟୀ ହେବାକୁ ଚାହୁଁନାହାନ୍ତିି। କ୍ଷମତାର ମୋହରେ ମଦମତ୍ତ ସଭିଏଁ। ନିଜ ଆଡ଼ୁ ପଦବୀ ପରିତ୍ୟାଗ କରିବା ଏବଂ ସ୍ବାଧୀନ ତଦନ୍ତ ପାଇଁ ପଥ ଉନ୍ମୁକ୍ତ କରିବା ଦେଖାଯାଉ ନାହିଁ। ପରନ୍ତୁ କ୍ଷମତାରେ ରହି, ତଦନ୍ତକୁ ପ୍ରଭାବିତ କରି, ଅନ୍ୟ ମୁଣ୍ଡରେ ଅଠା ବୋଳି ଦେଇ ନିଜକୁ ପବିତ୍ର ତୁଳସୀ ପତ୍ର ରୂପେ ଉଭା କରାଇବାର ବ୍ୟବସ୍ଥା କରୁଛନ୍ତି ରାଜନେତାମାନେ। ଆଉ ପଦବୀରୁ ଇସ୍ତଫା ଦିଆଇବା କଥାଟି ଏତେ ସହଜ ନୁହେଁ। ଭୟ ପଶିଛି। ପ୍ରଥମେ ହାଇକମାଣ୍ଡ ଅଙ୍କ କଷୁଛନ୍ତିି। ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ନିଜ ନେତୃତ୍ୱ ପ୍ରତି ବିପଦ କେତେ। କେଉଁ ସରକାର କଥା କହିବା? ସବୁଠି ସମାନ ସ୍ଥିତି। ରାଜ୍ୟ, କେନ୍ଦ୍ର ସବୁଠି। ଚାଷୀ ସତ୍ୟାଗ୍ରହୀଙ୍କ ଉପରେ କୃଷିମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢ଼ାଇଦେଲେ। କିନ୍ତୁ ମନ୍ତ୍ରୀ ମହାଶୟଙ୍କ ନିକଟରେ ସାମାନ୍ୟତମ ଅନୁଶୋଚନା ଦେଖିବାକୁ ମିଳିଲା ନାହିଁ। ବାରମ୍ବାର ରେଳ ଦୁର୍ଘଟଣା ହେଉଛି। ନିରୀହ ଲୋକଙ୍କର ଜୀବନ ଯାଉଛି। ତଦନ୍ତ କମିଟି ଗଠନ ହେଉଛି। ମାତ୍ର ରେଳ ଦୁର୍ଘଟଣାକୁ ନେଇ ଯେତେ କମିଟି ବସିଛି ସେସବୁର ରିପୋର୍ଟ ଶୀତଳ ଭଣ୍ଡାରରେ। କାର୍ଯ୍ୟାନୁଷ୍ଠାନ ନାହିଁ କହିଲେ ଚଳେ। ନହେଲେ ସବୁତକ ଦୋଷ କାଣୀ ଅସରପାର।
ଦରବୃଦ୍ଧିଜନିତ ସମସ୍ୟା ଉପୁଜିଲେ ଆମେ କେବଳ ଅନ୍ୟ ଉପରେ କେମିତି ଦୋଷ ଲଦିପାରିବୁ ସେଇଥିରେ ବ୍ୟସ୍ତ ରହୁ। ଆଳୁର ଅଭାବ ହେଲା ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଦୋଷ ଦେଲୁ, ପିଆଜ ଦର ବୃଦ୍ଧି ଘଟିଲେ ମହାରାଷ୍ଟ୍ରର ଦୋଷ। ତେଲ ଦରବୃଦ୍ଧି ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁ। କିଛି ନ ହେଲେ ପୂର୍ବ ସରକାର ଏଥିପାଇଁ ଦାୟୀ କହିଦେଲେ କଥା ସରିଲା। ଏମିତି କେତେଦିନ ଆମେ ପରସ୍ପର ଭିତରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା? ସେମାନେ କଲେ ନାହିଁ ବୋଲି ତ ସେମାନଙ୍କୁ ହଟାଇ ତୁମକୁ ଲୋକମାନେ ଶାସନ ଭାର ଦେଇଛନ୍ତି। ଏବେ ତୁମେ କର। ଏହା ତ ହେଉ ନାହିଁ, ବରଂ ସେହି ସମାନ ଢଙ୍ଗ, ସେହି ସମାନ ନୀତି। ବିରୋଧୀ ଦଳରେ ଥିବା ବେଳେ ଯେଉଁ କାରଣ ପାଇଁ ବିଭାଗୀୟ ଇସ୍ତଫା ଦାବି କରାଯାଏ, ସରକାରଙ୍କୁ ଅପାରଗ କହି ସମାଲୋଚନା କରାଯାଏ, ବିକ୍ଷୋଭ ପ୍ରଦର୍ଶନ କରାଯାଏ- ସରକାରକୁ ଆସିବା ପରେ ସେହି ସେହି କାରଣ ପାଇଁ ନିଜ ଉପରକୁ ଦୋଷ ନେବା ଦେଖାଯାଏ ନାହିଁ।
ଏହା ଯେ କେବଳ ଆମ ଦେଶ ରାଇଜର ଶାସନ ବ୍ୟବସ୍ଥାରେ ଦେଖିବାକୁ ମିଳେ, ତାହା ନୁହେଁ। ପରିବାରଠାରୁ ପ୍ରଶାସନ ସବୁଠି ଉତ୍ତରଦାୟିତ୍ୱକୁ ଉପେକ୍ଷା କରିବାର ପ୍ରବଣତା ପରିଲକ୍ଷିତ ହେଉଛି। ନିଜ ଜୀବନକୁ ସଳିତା ପରି ଜାଳି ମାଆବାପାମାନେ ପୁଅଝିଅଙ୍କୁ ମଣିଷ କରନ୍ତି। ଭୋକ ଉପାସରେ ରହି ଅର୍ଥ ସଞ୍ଚୟ କରନ୍ତି ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ। ପରବର୍ତ୍ତୀ ସମୟରେ ସେହି ପୁଅଝିଅମାନେ ସବୁ କିଛି ଭୁଲିଯାଆନ୍ତି। ମାଆବାପାଙ୍କ ପ୍ରତି ନିଜର ଉତ୍ତରଦାୟିତ୍ୱକୁ ଅସ୍ବୀକାର କରନ୍ତିି। ଦାନ ମାଝୀଠାରୁ ଜିତୁ ମୁଣ୍ଡା ପର୍ଯ୍ୟନ୍ତ ଯେତେ ଯେତେ ଅଘଟଣ ଘଟୁଛି ପ୍ରଶାସନିକ ଉଦାସୀନତାର ପ୍ରତିଫଳନ। ସରକାରୀ କାର୍ଯ୍ୟାଳୟରେ ଅଫିସରଠାରୁ ଚପରାସୀ, ସରକାରୀ ଡାକ୍ତରଖାନାରେ ଡାକ୍ତର ଠାରୁ ନର୍ସ, ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ସଭିଏଁ କାମ କରୁଛନ୍ତି ରୁଟିନ୍‌ ବନ୍ଧା ଭାବରେ। ଦାୟିତ୍ୱ ନିର୍ବାହ କରିବାରେ ସମସ୍ତେ ବ୍ୟସ୍ତ। କିନ୍ତୁ ଆମ କାର୍ଯ୍ୟ ଦ୍ୱାରା ଆକାଂକ୍ଷିତ ଫଳ କେତେ ଆସିଲା ସେଥିପ୍ରତି ଆମର ଉତ୍ତରଦାୟିତ୍ୱ ରହୁନାହିଁ। ସତେ ଯେମିତି ଏକ ଯନ୍ତ୍ରଚାଳିତ ମାନବ ପରି ଆମେ କାମ କରିଚାଲିଛୁ। ଭଲମନ୍ଦରେ ଆମର କିଛି ଯାଏ ଆସେ ନାହିଁ।
ଏସବୁ କିଛି ଘଟୁଛି କେବଳ ଆମେ ଉତ୍ତରଦାୟୀ ହେବାକୁ ଚାହୁଁନାହୁଁ ବୋଲି। କିନ୍ତୁ ମନେରଖିବା ଉଚିତ ଆମେ ସଭିଏଁ ସମାଜ ନିକଟରେ ଉତ୍ତରଦାୟୀ। ଆମ କର୍ମ ସମାଜ ପାଇଁ ଉତ୍ସର୍ଗୀକୃତ ହେବା ବାଞ୍ଛନୀୟ। ମଣିଷର କଲ୍ୟାଣ ଏବଂ ସମାଜର ବିକାଶ ପାଇଁ ଆମେ ଆମର ଦାୟିତ୍ୱବୋଧକୁ ଯେତେ ସଶକ୍ତକରିବା ଆମେ ସେତେ ଉତ୍ତରଦାୟୀ ରହିପାରିବା। ଯିଏ ଯେଉଁ ପଦବୀରେ ରୁହନ୍ତୁ ନା କାହିଁକି, ଯେଉଁଠି କାମ କରନ୍ତୁ ନା କାହିଁକି ସେ ନିଜର ଉତ୍ତରଦାୟିତ୍ୱ ପାଳନ କରନ୍ତୁ।

ଅକ୍ଷୟ କୁମାର ମିଶ୍ର
– ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭

Dharitri – Odisha’s No.1 Odia Daily

Share