ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିରନ୍ତର ସାନିଟାଇଜରରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ସାନିଟାଇଜରରେ ଆଲକୋହଲ ଥିବାରୁ କରୋନା ଭୂତାଣୁ ନଷ୍ଟ ହେଉଥିବାର କୁହାଯାଉଛି। ଏପରିସ୍ଥଳେ ଆମେରିକାର କେତେକ ବୈଜ୍ଞାନିକ ମଦ ବାଷ୍ପ ଶୁଙ୍ଘିଲେ କରୋନା ସଂକ୍ରମଣ ହେବ ନାହିଁ ବୋଲି ଦାବି କରିଛନ୍ତି। ଏନେଇ ଅଧିକ ଗବେଷଣା ଜାରି ରହିଛି। ଏହାଦ୍ୱାରା ମାତ୍ର ଅଳ୍ପ କିଛି ମିନିଟ୍‌ ମଧ୍ୟରେ ନିଶ୍ୱାସ ନେବା ସହଜ ହୋଇ ପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣରୁ ମଧ୍ୟ ମଦ ବାଷ୍ପ ସୁରକ୍ଷା ଦେବ। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡମିନିଷ୍ଟ୍ରେଶନର ସେଣ୍ଟର ଫର୍‌ ଡଗ୍‌ ଇଭୋଲ୍ୟୁଶନ୍‌ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ ଏନେଇ ଗବେଷଣା କରାଯାଉଛି। ଦିଲ୍ଲୀର ବୈଜ୍ଞାନିକ ଶକ୍ତି ଶର୍ମା ଏନେଇ କରିଥିବା ପରୀକ୍ଷା ନିରୀକ୍ଷାରେ ସଫଳତା ହାସଲ କରିବା ପରେ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡମିନିଷ୍ଟ୍ରେଶନକୁ ଚିଠି ଲେଖିଛନ୍ତି। ଏନେଇ ଇଣ୍ଟର ନ୍ୟାଶ୍‌ନାଲ୍‌ ଜର୍ନାଲ୍‌ ଅଫ୍‌ ବେସିକ୍‌ ଆଣ୍ଡ୍‌ କ୍ଲିନିକାଲ ଫର୍ମାକୋଲୋଜି ବ୍ରିଟେନ୍‌ର ବୈଜ୍ଞାନିକ ଡ. ସୈଫୁଲ୍‌ ଇସଲାମଙ୍କ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। କରୋନା ଭୂତାଣୁ ନାକବାଟେ ଗଳା ଦେଇ ଫୁସ୍‌ଫୁସ୍‌ରେ ପହଞ୍ଚିଥାଏ। ତେଣୁ ୫୬ ପ୍ରତିଶତ ଆଲକୋହଲ ଆସ୍ପ୍ରିନ୍‌ ସହିତ ଅକ୍ସିଜେନ୍‌ ଅବା ଅକ୍ସିଜେନ୍‌ ଏଆର୍‌ଡିଏସ୍‌ ସହାୟତାରେ ନିଶ୍ୱାସ ନେବା ସମୟରେ ଫୁସ୍‌ଫୁସ୍‌ରେ ପହଞ୍ଚା ଯାଇଥାଏ। ଏହାଦ୍ୱାରା ସୁଫଳ ମିଳିଥାଏ। ଇସଲାମ୍‌ଙ୍କ ସହିତ ଆମେରିକାର ଏଡଓ୍ବେଣ୍ଟିସ୍‌ ହସ୍ପିଟାଲର ବିଶେଷଜ୍ଞ ଟିମ୍‌ ଆଲକୋହଲ ବାଷ୍ପ ଉପରେ ପରୀକ୍ଷା କରିଥିଲେ। ପ୍ରତି ମିନିଟରେ ୩.୬ ମିଲିଗ୍ରାମ୍‌ ଆଲକୋହଲ ବାଷ୍ପ ଅକ୍ସିଜେନ୍‌ ସହିତ ନିଶ୍ୱାସ ନେବାବେଳେ ଫୁସ୍‌ଫୁସ୍‌କୁ ପଠାଗଲେ ଧୀରେଧୀରେ ଆକ୍ରାନ୍ତଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଥାଏ। ପରୀକ୍ଷା ସମୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ରତିଦିନ ଲଗାତାର ୪୫ ମିନିଟ୍‌ ଆଲକୋହଲ ବାଷ୍ପ ଦିଆଯିବା ଦ୍ୱାରା ସୁଫଳ ମିଳିଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

Share