ସାବଧାନ! ଝିଅଙ୍କୁ ଆଖି ମାରିଲେ, ଫ୍ଲାଇଂ କିସ୍‌ କଲେ ଯିବେ ଜେଲ୍‌

ମୁମ୍ବାଇ,୧୧।୪: ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ମୁମ୍ବାଇର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ବର୍ଷକ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ୧୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ପୋକ୍ସୋ ଆକ୍ଟ ଅନୁଯାୟୀ ଏହି ସଜ୍ଜା ଶୁଣାଇଛନ୍ତି ଅଦାଲତ।

ସୂଚନାଯୋଗ୍ୟ, ୨୯ ଫେବୃୟାରୀ ୨୦୨୦ରେ ନାବାଳିକା ଜଣକ ତାଙ୍କ ମା’ଙ୍କୁ କହିଥିଲେ କି ତାଙ୍କୁ ଜଣେ ଯୁବକ ଆଖି ମାରିବା ସହ ଅନେକ ଥର ଫ୍ଲାଇଂ କିସ୍‌ କରିଛନ୍ତି। ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ମୁମ୍ବାଇର ଏଲଟି ମାର୍ଗ ଥାନାରେ ମାମଲା ଦାୟର କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ସେହିଦିନଠାରୁ ଯୁବକ ଜଣକ ବନ୍ଦୀ ଜୀବନ କାଟୁଛନ୍ତି।

ଯୁବକ ଜଣକ ମଧ୍ୟ ଏନେଇ ପାଲଟା ଅଭିଯୋଗ କରିଥିଲେ। ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିବା ସେ କହିଥିଲେ।

ତେବେ ଅଦାଲତ ସମସ୍ତ ବୟାନ ରେକର୍ଡ କରି ନିଜ ରାୟରେ କହିଛନ୍ତି କି, ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍‌ କରିବା ଯୌନ ନିର୍ଯାତନା ମଧ୍ୟରେ ଆସୁଛି। ତେଣୁ ଯୁବକଙ୍କୁ ଏପରି ସଜ୍ଜା ଦିଆଯାଇଛି।

Share