ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି କ୍ଷେତ୍ର ଅଧୀନ ଅନୁଗୋଳ ଜିଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ତାଙ୍କ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଛନ୍ତି। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ତୁରଙ୍ଗ ଖେଳ ପଡ଼ିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବବି ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାକୁ ଆଶୀର୍ବାଦ ଭିକ୍ଷା କରିଛନ୍ତି।
ଏହି ଅବସରରେ ବବି କହିଥିଲେ, ନିର୍ବାଚନ ଆସିଲେ ବିଭିନ୍ନ ଦଳର ନେତା ଆସି ଭାଷଣ ଦିଅନ୍ତି। ଭଳିକି ଭଳି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ, କାର୍ଯ୍ୟରେ ବିଶ୍ୱାସ କରିଥାନ୍ତି। ତେଣୁ ତାଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ଜନସାଧାରଣଙ୍କ ସମର୍ଥନ ଆବଶ୍ୟକ। ସ୍ଥାନୀୟ ଅଞ୍ଚଳର ଜଣେ ନେତା କେନ୍ଦ୍ରରେ ୧୦ ବର୍ଷ ହେବ ମନ୍ତ୍ରୀ ରହିଛନ୍ତି। କିନ୍ତୁ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଶୋଚନୀୟ ଅବସ୍ଥାରେ ଲୋକମାନେ ଯାତାୟାତ କରୁଛନ୍ତି। ସମ୍ବଲପୁର ଲୋକ ସଭା କ୍ଷେତ୍ର ପାଇଁ ସମ୍ପୃକ୍ତ ନେତାଙ୍କ ଅବଦାନ କ’ଣ ବୋଲି ବବି ପ୍ରଶ୍ନ କରିଥିଲେ। ବବିଙ୍କ ସହ ଉକ୍ତ ସଭାରେ ଉପସ୍ଥିତ ଥିବା ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା କହିଥିଲେ, କେନ୍ଦ୍ର ସରକାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଗତ ନିର୍ବାଚନରେ ସମ୍ବଲପୁରରୁ ବିଜୟୀ ହେବା ପରେ ଭାଜପା ଏମ୍‌ପି ଆଉ ଦେଖା ଦେଇ ନ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ସେବାକୁ ବିଜୁ ଜନତା ଦଳ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି। ଏହି ସଭାରେ ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଉପସ୍ଥିତ ଥିଲେ। ଅନୁଗୋଳ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ସଭା ପରିଚାଳନା କରିଥିଲେ। ଅନୁଗୋଳ ଜିଲା ସହ ପର୍ଯ୍ୟବେକ୍ଷକ କୁନୁ ବିହାରୀ ଦାସ, ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ସଞ୍ଜୟ ଅଗ୍ରୱାଲ ଉପସ୍ଥିତ ଥିଲେ।