ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ

ଫୁଲବାଣୀ ଅଫିସ,୨୨।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ସଖିପଡା ଗାଁର ଲିପକ ପ୍ରଧାନ(୨୧)ଙ୍କ ମୃତ୍ୟୁ ଘଟଣା ପଛରେ ରହିଛି ପ୍ରେମ ଏବଂ ସନ୍ଦେହ। ଲିପକ କେବେ ଆତ୍ମହତ୍ୟା କରିପାରିବ ନାହିଁ। ତାକୁ ହତ୍ୟା କରାଯାଇଛି। ଲିପକ ଯେଉଁ ଝିଅକୁ ଭଲ ପାଉଥିଲା ସେ ଏବଂ ତାଙ୍କ ସହଯୋଗୀମାନେ ମିଳିମିଶି ଏହି କାଣ୍ଡ ଭିଆଇଛନ୍ତି। ଘଟଣାକୁ ଇତି ମଧ୍ୟରେ ୧୬ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ହତ୍ୟାକାରୀଙ୍କୁ ଗିରଫ କରୁନାହିଁ। ସେମାନଙ୍କୁ ଥାନାକୁ ଡାକି ଖାଲି ପଚରା ଉଚରା କରି ଛାଡି ଦେଇଛି। ଆମକୁ ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେବୁ ବୋଲି ଲିପକଙ୍କ ମା’, ଭଉଣୀ ଏବଂ ଭାଇ ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଲବରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଲିପକଙ୍କ ଭଉଣୀ ଦୀପିକା କହିଛନ୍ତି, କି ମୋ ଭାଇର ଜଣେ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା। ସେହି ଝିଅକୁ ମଧ୍ୟ ସେ ଆମ ଘରକୁ ଆଣିଛି। ଗତ ୫ ତାରିଖରେ ଭାଇ ଲିପକ ଦଣ୍ଡ ଦେଖିବା ପାଇଁ ଫିରିଙ୍ଗିଆ ଯାଇଥିଲା। ରାତି ସାଢ଼େ ୭ଟା ବେଳେ ସମ୍ପର୍କୀୟ ଜ୍ୱାଇଁଙ୍କୁ ୪ ଜଣ ପୁଅ ଏବଂ ୪ ଜଣ ଝିଅଙ୍କ ସହ ଝଗଡା ହୋଇଥିବା ନେଇ ଫୋନରେ କହିଥିଲା। କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳର ସମାଧାନ ହୋଇଛି ବୋଲି ପୁଣି କହିଥିଲା। ଏହାପରେ ମଁୁ ରାତି ୯ଟା ଫୋନ କରିବାରୁ ଘରକୁ ଯିବାକୁ ଗାଡି ନାହିଁ। ରାତିରେ ଏଠାରେ ରହିଯିବି। ସକାଳ ହେଲେ ଯିବି ବୋଲି କହିଥିଲା। ହେଲେ ରାତି ୧.୧୫ରେ ଗୋଟିଏ ନୂଆ ନମ୍ବରରୁ କଲ ଆସିଥିଲା। କିନ୍ତୁ ସେପଟୁ କିଛି କୁହାଯାଇ ନ ଥିଲା। ସେହି ନମ୍ବରରେ କଲ କରିବାରୁ ଫୋନ ବନ୍ଦ ଥିଲା। ବଡ ଭାଇ ସକାଳେ ଖବର ଦେଲେ କି ଲିପକକୁ କିଏ ମାରି ଏକ ମହୁଲ ଗଛରେ ଝୁଲାଇ ଦେଇଛନ୍ତି। ଆମେ ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ପ୍ରେମ ସମ୍ପର୍କ ଥିବା ଝିଅ ଘରୁ ଲିପକର ବ୍ଲୁଟୁଥ ମିଳିଥିଲା। ଏଥିରୁ ସ୍ପଷ୍ଟ ଲିପକ ସେଦିନ ରାତିରେ ସେହି ଝିଅ ରହୁଥିବା ଭଡାଘରକୁ ଯାଇଥିଲା। ଲିପକ ସେହି ଝିଅର ଓଢ଼ଣୀରେ ଝୁଲୁଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ପୋଲିସ ସେମାନଙ୍କୁ ଜାଣିଶୁଣି ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି।
ଅପରପକ୍ଷେ ପୋଲିସ ଏହି ଘଟଣା ପରେ ୩ଜଣ ଯୁବତୀ ଏବଂ ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚାରା ଉଚୁରା କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଲିପକଙ୍କ ପ୍ରେମ ସମ୍ପର୍କ ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ଏଯାଏଁ କାହାରିକୁ ଗିରଫ କରାନଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଗୁରୁବାର ମୃତ ଯୁବକଙ୍କ ଶବ ବ୍ୟବଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ରିପୋର୍ଟରେ ଓଢଣୀ ଲାଗି ତଣ୍ଟି ଚିପି ହୋଇଯିବା ଫଳରେ ଲିପକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ହେବ। ମୃତକଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି
ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ପ୍ରକାଶ କରିଛନ୍ତି।