ଯୁଦ୍ଧ ହେଲେ ପୃଥିବୀରେ ବଢ଼ିବ ଦରଦାମ୍‌,ତେଲରେ ଲାଗିବ ନିଆଁ….

ମସ୍କୋ, ୧୫।୨ : ୟୁକ୍ରେନ୍‌ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ହେଲେ ପୃଥିବୀରେ ଦରଦାମ୍‌ ବଢ଼ିବାର ଆଶଙ୍କା ଦେଖାଦେଇଛି। ରୁଷିଆ ପ୍ରାକୃତିକ ଗ୍ୟାସ୍‌ର ସର୍ବବୃହତ୍‌ ସପ୍ଲାୟର।

ଏହା ସହିତ ଅଶୋଧିତ ତୈଳ ଉତ୍ପାଦନ କ୍ଷେତ୍ରରେ ରୁଷିଆର ଅନ୍ତର୍ଜାତୀୟ ବଜାରରେ ଅଂଶଧନ ମଧ୍ୟ ଅଧିକ ରହିଛି। ଏକ ରିପୋର୍ଟ ଅନୁସାରେ ରୁଷିଆ ପୃଥିବୀର ଆବଶ୍ୟକତାର ୧୦ ପ୍ରତିଶତ ଅଶୋଧିତ ତୈଳ ଉତ୍ପାଦନ କରିଥାଏ।

ତେଣୁ ଯଦି ଯୁଦ୍ଧ ହୁଏ ତେବେ ପ୍ରାକୃତିକ ଗ୍ୟାସ୍‌ ଏବଂ ଅଶୋଧିତ ତୈଳ ଯୋଗାଣରେ ବାଧା ଉପୁଜିବାର ଆଶଙ୍କା ରହିଛି। ଏନେଇ ରୁଷିଆ ଉପରେ ୟୁରୋପ ଅଧିକ ନିର୍ଭର କରିଥାଏ। ୟୁରୋପକୁ ୪୦ ପ୍ରତିଶତରୁ ଅଧିକ ପ୍ରାକୃତିକ ଗ୍ୟାସ୍‌ ଏବଂ ଅଶୋଧିତ ତୈଳ ରୁଷିଆରୁ ହିଁ ଆସିଥାଏ।

ତେଣୁ ଯୁଦ୍ଧ ହେଲେ ଅଶୋଧିତ ତୈଳ ଦାମ୍‌ରେ ନିଆଁ ଲାଗିବ। ଏହାର ଦାମ୍‌ ବୃଦ୍ଧି ହେବାରୁ ଦରଦାମ୍‌ ଆପଣା ଛାଏଁ ବଢ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଯୁଦ୍ଧ ହେଲେ ଏହାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ଅଛି। ଗତ କିଛି ଦିନ ଧରି ଏହାର ପ୍ରଭାବ ଯୋଗୁ ଭାରତୀୟ ଶେୟାର ବଜାରରେ ହ୍ରାସ ଦୃଷ୍ଟି ଗୋଚର ହୋଇଛି।

Share