ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେଭଳି ଭାବେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଭୋଟରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଆସନ୍ତା ନିର୍ବାଚନରେ ଯେଭଳି ସୁରୁଖୁରୁ ଏବଂ ସୁବିଧାରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ, ସେ ନେଇ ବ୍ୟବସ୍ଥା କରିବାକୁ ବରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ ସସ୍ତୁପାଲି ଗ୍ରାମର ଭୋଟରମାନେ ଦାବି କରିଛନ୍ତି। ଏହି କ୍ରମରେ ଗ୍ରାମବାସୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଗ୍ରାମରେ ମତଦାନ କେନ୍ଦ୍ର କରା ନ ଗଲେ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯେ, ସସ୍ତୁପାଲି ଗ୍ରାମରେ ୮୦୦ ଭୋଟର ଅଛନ୍ତି। କିନ୍ତୁ ସାଧାରଣ ନିର୍ବାଚନ ସମୟରେ ଉକ୍ତ ଗ୍ରାମରେ ମତଦାନ କେନ୍ଦ୍ର କରାଯାଏନାହିଁ। ଗ୍ରାମର ଭୋଟରମାନଙ୍କୁ ୫କି.ମି ଦୂର ଚକରକେନ୍ଦ ମତଦାନ କେନ୍ଦ୍ର ଯିବାକୁ ପଡ଼ିଥାଏ। ସେଥିପାଇଁ ଗ୍ରାମବାସୀଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଥିବାବେଳେ ଗ୍ରାମର ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଭୋଟର ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚତ୍ତ ହୋଇଥାନ୍ତି। ଫଳରେ ସସ୍ତୁପାଲି ଗ୍ରାମରେ ସାଧାରଣ ନିର୍ବାଚନ ସମୟରେ ମତଦାନ କେନ୍ଦ୍ର କରିବାକୁ ଗ୍ରାମବାସୀ ଦୀର୍ଘଦିନରୁ ଦାବି କରିଆସୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ ସେ ଦିଗରେ କିଛି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥର ସାଧାରଣ ନିର୍ବାଚନ ସମୟରେ ଗ୍ରାମରେ ମତଦାନ କେନ୍ଦ୍ର କରା ନ ଗଲେ ଗ୍ରାମର ଭୋଟର ମତଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଏହି କ୍ରମରେ ସସ୍ତୁପାଲି ଗ୍ରାମରେ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯିବା ସହିତ ଗ୍ରାମର ସମସ୍ତ ଭୋଟରଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ଦେବାକୁ ଭୁବନେଶ୍ୱର ଭୋଇ, ନୃପ ସାହୁ, ମହିପାଳ ସାହୁ, ଲଲିତା ସାହୁ, କୁନ୍ତଳା ସାହୁ, ଜଗନ୍ନାଥ ବଗର୍ତ୍ତି ପ୍ରମୁଖ ଗ୍ରାମବାସୀ ନିବେଦନ କରିଛନ୍ତି।