କେବିକେରେ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ ରହିବ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ଶେଷରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ସିଡ୍ୟୁଲ ଏରିଆ ତଥା ଆଦିବାସୀ ଅଞ୍ଚଳ ଭଳି ରାଜ୍ୟର କେବିକେ ଅଞ୍ଚଳରେ ମଧ୍ୟ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ୍‌ ରହିବ। ଏନେଇ ସୋମବାର ବିଧାନସଭାରେ ସ୍ପଷ୍ଟୋକ୍ତି ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିଡ୍ୟୁଲ ଅଞ୍ଚଳରେ ୨୫ରୁ କମ୍‌ ପିଲା ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବିଧାନସଭାରେ ଏନେଇ ପ୍ରବଳ ହଟ୍ଟଗୋଳ ପରେ ସରକାର ନିଷ୍ପତ୍ତି ବଦଳାଇଛନ୍ତି। କେବିକେ ଅଞ୍ଚଳରେ ୨୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ପରିବର୍ତ୍ତିତ ନିଷ୍ପତ୍ତି ଦ୍ୱାରା କେବିକେର ମୋଟ ୮ ଜିଲାର ଛାତ୍ରୀଛାତ୍ର ଉପକୃତ ହେବେ। କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ାର ୮୦ ବ୍ଲକ୍‌ରେ ଏହି ନୂଆ ନିୟମ ଲାଗୁ ହେବ। ଭୌଗୋଳିକ ଅବସ୍ଥିତି ଓ ଛାତ୍ରୀଛାତ୍ରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।
ଲଗାତାର ୩ୟ ଦିନ ପାଇଁ ବିଧାନସଭା ଶୀତ ଅଧିବେଶନରେ ସ୍କୁଲ୍‌ ବନ୍ଦ ପ୍ରସଙ୍ଗ ଉଠିଥିଲା। ବିରୋଧୀମାନେ ସିଡ୍ୟୁଲ ଏରିଆ ଭଳି କେବିକେ ଅଞ୍ଚଳ ପାଇଁ ସମାନ ନିୟମ କରିବାକୁ ଦାବି କରିଥିଲେ। ଅପରାହ୍ନ ଅଧିବେଶନର ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେବିକେ ଅଞ୍ଚଳରେ ୧୫ କିମ୍ବା ତା’ଠାରୁ ଅଧିକ ପିଲା ଥିବା ସ୍କୁଲ୍‌ଗୁଡ଼ିକୁ ବନ୍ଦ ନ କରିବାକୁ ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନରସିଂହଙ୍କୁ ସମର୍ଥନ କରି ସିଡ୍ୟୁଲ ଓ କେବିକେ ଅଞ୍ଚଳ ପାଇଁ ସମାନ ନିୟମ କରିବାକୁ ଦାବି କରିଥିଲେ। ସେହିଭଳି ନନ୍‌ ସିଡ୍ୟୁଲ୍‌ ଅଞ୍ଚଳ ପାଇଁ ସ୍କୁଲ୍‌ ଏକତ୍ରୀକରଣ ନିୟମ କୋହଳ କରାଯାଉ। ୪୦ ପରିବର୍ତ୍ତେ ୨୦ରୁ କମ୍‌ ପିଲା ଥିଲେ ସ୍କୁଲ୍‌ ମିଶ୍ରଣ କରାଯାଉ ବୋଲି ସେ କହିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପାହାଡ଼ିଆ ଅଞ୍ଚଳର ପିଲାଙ୍କ ପାଇଁ ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି କରିବା ସହ କେବିକେର ୮ ଜିଲାରେ ସିଡ୍ୟୁଲ ଏରିଆ ଭଳି ନିୟମ କରିବାକୁ କହିଥିଲେ। ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ଭାଜପା ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର ପ୍ରମୁଖ ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲେ। କେନ୍ଦ୍ର ସରକାର ଯଦି ୨୦୧୭ରୁ ସ୍କୁଲ୍‌ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତା’ହେଲେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କାହିଁକି ବସିଥିଲେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଥିଲେ। ହଠାତ୍‌ ଏଭଳି ନିଷ୍ପତ୍ତି ନେବାର କାରଣ କ’ଣ ଓ କେବିକେରେ ଏହି ନିୟମକୁ କୋହଳ କରିବାକୁ ସେ ଜିଦ୍‌ ଧରିଥିଲେ। ଭାଜପା ବିଧାୟକ ଭାସ୍କର ମଡ଼େଇ ଶିମିଳିପାଳ ଭିତରେ ଥିବା ସ୍କୁଲ୍‌ ପାଇଁ ୧୫ ପରିବର୍ତ୍ତେ ୧୦ଟି ପିଲାରେ ସ୍କୁଲ୍‌ ଖୋଲିବାକୁ ଦାବି କରିଥିଲେ। ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଏହି ସ୍କୁଲ୍‌ରେ ୧୫ ପିଲା ପଢିବା ଅସମ୍ଭବ। ତେଣୁ ସରକାର ଏହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଥିଲେ। ବିରୋଧୀଙ୍କ ମିଳିତ ଦାବି ଶୁଣିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଏନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଡ୍ୟୁଲ ଏରିଆ ଭଳି କେବିକେ ଜିଲାଗୁଡ଼ିକରେ ମଧ୍ୟ ୧୫ରୁ ଅଧିକ ପିଲା ଥିବା ସ୍କୁଲ୍‌ଗୁଡ଼ିକର ମିଶ୍ରଣ କରାଯିବ ନାହିଁ ବୋଲି ମନ୍ତ୍ରୀ ଦାଶ ନିଜ ଉତ୍ତରରେ କହିଥିଲେ।