ମାଆବାପା ପଜିଟିଭ୍‌ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି

ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ ସମ୍ପୃକ୍ତ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି (ଏସ୍‌ସିଏଲ୍‌) ମିଳିପାରିବ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ପରିବାର ସଦସ୍ୟ କିମ୍ବା ମାଆବାପା ଯଦି ୧୫ ଦିନରୁ ଅଧିକ ଚିକିତ୍ସାଧୀନ ରହନ୍ତି, ତେବେ ସେ ହସ୍ପିଟାଲ ଛାଡ଼ିବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅନ୍ୟାନ୍ୟ ଛୁଟି (ଯାହା ତାଙ୍କର ପ୍ରାପ୍ୟ) ମିଳିପାରିବ । ସରକାରୀ କର୍ମଚାରୀ ନିଜେ କୋଭିଡ୍‌ ପଜିଟିଭ ହେଲେ ତାଙ୍କୁ ୨୦ ଦିନ ପରିବର୍ତ୍ତିତ ଛୁଟି (କମ୍ୟୁଟେଡ୍‌ ଲିଭ୍‌) ଦିଆଯିବ ଓ ସେ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ କିମ୍ବା ହସ୍ପିଟାଲରେ ଭର୍ତ୍ତି ହୋଇପାରିବେ। ଯଦି ୨୦ ଦିନ ପରେ ହସ୍ପିଟାଲରେ ରହିବାକୁ ହୁଏ, ତେବେ ଏହାର ପ୍ରମାଣ ଭାବେ ଆବଶ୍ୟକ ଦସ୍ତାବିଜ୍‌ ଦେଖାଇଲେ କମ୍ୟୁଟେଡ୍‌ ଲିଭ୍‌ ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Share