ଦାବି ପୂରଣ ନ ହେଲେ ସମୂହ ଭୋଟ୍‌ ବର୍ଜନ କରିବେ ବ୍ରାହ୍ମଣୀଗାଁବାସୀ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୯ା୩(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା ଦାବି ଜୋର ଧରିଛି। ଶନିବାର ଉକ୍ତ ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାଠାରେ ଏନେଇ ବିଶାଳ ଜନସମାବେଶ ହୋଇଛି। ଏଥିରେ ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା ଶୀଘ୍ର କରାଯିବା ନେଇ ଦାବି ହୋଇଛି। କାଟିଙ୍ଗିଆ ମହିଳା ସରପଞ୍ଚ ସୁଭଦ୍ରା ପଡ୍ରାଙ୍କ ନେତୃତ୍ୱରେ ବିକ୍ଷୋଭ ସହ ଶତାଧିକ ଲୋକ ଶୋଭାଯାତ୍ରାରେ ମିଞ୍ଜାପଙ୍କା ଗାଁ ପରିକ୍ରମା କରି ଚର୍ଚ୍ଚପଡ଼ିଆରେ ସଭା କରିଥିଲେ। ସଭାରେ ଜନଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା ଦାବି ପୂରଣ ନ କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ସହ ଚଳିତବର୍ଷ ନିର୍ବାଚନରେ ଭୋଟ୍‌ ବର୍ଜନ ପାଇଁ ଅଞ୍ଚଳବାସୀ ନିଷ୍ପତ୍ତି ନେବା ସହ ଚରମ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ୯୦ ଦଶକରୁ ଅଞ୍ଚଳବାସୀ ତଥା ୮ଟି ପଞ୍ଚାୟତବାସୀ ଏକାଧିକ ଥର ରାଜ୍ୟ ସରକାରଙ୍କୁ ବ୍ଲକ ଗଠନ ନିମନ୍ତେ ଦାବିପତ୍ର ଦେଇ ଆସୁଛନ୍ତି। ହେଲେ ଫଳ ଶୂନ ବୋଲି ଅଭିଯୋଗ ହୋଇଛି। ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡ଼ା, ଗଦାପୁର, ସରାମୂଳି, ହାତୀମୁଣ୍ଡା, ତାଜୁଙ୍ଗିଆ, କୁମ୍ଭାରିଗାଁ ଓ କାଟିଙ୍ଗିଆ ପଞ୍ଚାୟତ ଅଞ୍ଚଳର ଲୋକସଂଖ୍ୟା ପ୍ରାୟ ୪୦ ହଜାରରୁ ଅଧିକ ହେଉଥିବା ବେଳେ ଅଞ୍ଚଳବାସୀ ବ୍ଲକକୁ ଯିବା ପାଇଁ ମିଞ୍ଜାପଙ୍କାରୁ ୭୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି ଓ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶାସକ ଦଳର ବହୁ ନେତା ପରିଷଦ ଥିଲେ ମଧ୍ୟ କିଛି ବି ସୁଫଳ ମିଳୁ ନାହିଁ। ଖୁବ୍‌ଶୀଘ୍ର ବ୍ରାହ୍ମଣୀଗାଁକୁ ବ୍ଲକ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।