ଶିଶୁ ହସିଲେ ଦେଶ ହସିବ

ଡ. ସମୀର କୁମାର ନନ୍ଦ

 

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ ଓ ଖୁସିରେ ରହିବା ଦରକାର। କିନ୍ତୁ ସେଥିପାଇଁ ଆମେ ଓ ଆମ ସରକାର କେତେ ଯତ୍ନବାନ ତାହା ହେଉଛି ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ।
ଜାତିସଂଘର ସାଧାରଣ ପରିଷଦ ୧୯୫୯ ନଭେମ୍ବର ୨୦ ଦିନ ଶିଶୁ ଅଧିକାର ସମ୍ପର୍କିତ ଘୋଷଣାନାମା ଓ ୧୯୮୯ ନଭେମ୍ବର ୨୦ରେ ଶିଶୁ ଅଧିକାର ସମ୍ପର୍କିତ ସମ୍ମିଳନୀକୁ ଗ୍ରହଣ କରିଥିବାରୁ ସମଗ୍ର ବିଶ୍ୱରେ ନଭେମ୍ବର ୨୦କୁ ବିଶ୍ୱ ଶିଶୁ ଦିବସ ଭାବେ ପାଳନ କରାଯାଏ। ଆଜି ଆମ ଦେଶରେ ଶିଶୁ ଦିବସ ପାଳନ କରୁଛୁ। ଶିଶୁ ଦିବସ ପ୍ରଥମେ ଆମେରିକାର ଚେଲସିଆସ୍ଥିତ ଧର୍ମଯାଜକ ଡ. ଚାର୍ଲସ ଲିଓନାଡଙ୍କ ଦ୍ୱାରା ୧୮୫୭ରେ ଆରମ୍ଭ ହୋଇଥିଲା। ସେ ପ୍ରଥମେ ଶିଶୁମାନଙ୍କ ପାଇଁ ଏହି ଦିବସକୁ ରୋଜ ଡେ ପରେ ଫ୍ଲାଓ୍ବାର ସଣ୍ଡେ ଓ ପରେ ପରେ ଶିଶୁ ଦିବସ ବୋଲି ନାମକରଣ କରିଥିଲେ। ଆମ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ୧୪ ଦିନ ଶିଶୁ ଦିବସ ପାଳନ କରାଯାଏ। ଆମେ ନଭେମ୍ବର ୧୪ ଦିନ ଶିଶୁ ଦିବସ ହେଉ କିମ୍ବା ଜୁନ ୧୨ରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରି କର୍ତ୍ତବ୍ୟ ସାରିଦେଲେ କ’ଣ ଆମ ଦେଶର ଶିଶୁ ସୁରକ୍ଷିତ ହୋଇଯିବ?
ସ୍ବାସ୍ଥ୍ୟ, ଶିକ୍ଷା, ପୁଷ୍ଟିହୀନତା ଓ ଶିଶୁ ଶ୍ରମିକ ପ୍ରଥାର ବିଲୋପ ଆଜି ଗମ୍ଭୀର ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ସମାଧାନ କରିପାରିଲେ ଯାଇ ଆମେ ଶିଶୁ ସୁରକ୍ଷା କ୍ଷେତ୍ରରେ ସଫଳ ହୋଇପାରିବା। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୫ ଅନୁଯାୟୀ ଓଡ଼ିଶା ବାଲ୍ୟବିବାହ କ୍ଷେତ୍ରରେ ସାମଗ୍ରିକ ଭାବେ ଜାତୀୟ ହାରଠାରୁ ତଳେ ଅଛି। ହେଲେ ବେଶ୍‌ କିଛି ଜିଲା ଏ କ୍ଷେତ୍ରରେ ଜାତୀୟ ହାରଠାରୁ ଢେର ଉପରେ ଅଛନ୍ତି। ଓଡ଼ିଶାରେ ୨୧.୩% ଝିଅ ବାଲ୍ୟ ବିବାହ କରୁଛନ୍ତି, ଯେତେବେଳେ କି ଜାତୀୟ ହାର ୨୬.୮% ରହିଛି।
ଶିଶୁ ଶ୍ରମିକ ପ୍ରଥା ଏବେ ଏକ ମୁଖ୍ୟ ସମସ୍ୟା। ଆମ ରାଜ୍ୟରେ ଶିଶୁ ଶ୍ରମିକ ପ୍ରଥା ଏଯାବତ୍‌ ବଞ୍ଚତ୍ ରହିଛି। ଗତ କିଛି ଦିନ ତଳେ ପୋଲିସ ଚଢ଼ାଉ ସମୟରେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା ବେଳେ କଣ୍ଟାବାଞ୍ଜି ରେଳଷ୍ଟେଶନରୁ ୧୮ ଜଣ ନାବାଳକଙ୍କ ସମେତ ୫୨ ଜଣ ଦାଦନ ଶ୍ରମିକ, ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ ଚାରିଜଣ ଶିଶୁଙ୍କ ସହିତ ସାତ ଜଣ ଦାଦନ ଶ୍ରମିକ, ଭେଲୁଆଖୋଲ ଗାଁ ନିକଟରେ ଏକ ବସ୍‌ରୁ ଆଠଜଣ ଶିଶୁଙ୍କ ସହିତ ଚଉଦ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ। ଆମ ସମାଜରେ ଶିଶୁ ଶ୍ରମିକ ପ୍ରଥାକୁ ଅନେକାଂଶରେ ପ୍ରୋତ୍ସାହନ ଦାରିଦ୍ର୍ୟ ଓ ପ୍ରାଥମିକ ଶିକ୍ଷାର ଅଭାବ ହିଁ ଯୋଗାଇଥାଏ। ଦେଶରେ ବିଭିନ୍ନ ଜନଗଣନା ସମୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ହେବାରୁ ଗୁରୁପଦ ସ୍ବାମୀ କମିଟିଙ୍କ ରିପୋର୍ଟ ଆଧାରରେ ସରକାର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ମାଧ୍ୟମରେ ୧୯୮୮ରେ ଶିଶୁ ଶ୍ରମିକମାନଙ୍କ ପାଇଁ ବିଶ୍ୱର ସର୍ବବୃହତ୍‌ ପ୍ରକଳ୍ପ ‘ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ’ ଖୋଲି ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରି ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଉଭୟ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରି ସେହି ଶିଶୁମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଥିଲେ। ଫଳସ୍ବରୂପ ଆମ ରାଜ୍ୟରେ ୨୦୦୧ ଓ ୨୦୧୧ ଜନଗଣନା ଅନୁସାରେ କ୍ରମାଗତ ଭାବେ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ହ୍ରାସ ପାଇଥିଲା। ସାରା ଦେଶରେ ମଧ୍ୟ ଏହି ପ୍ରକଳ୍ପ ପ୍ରଭାବରେ ୨୦୦୧ରୁ ୨୦୧୧ ଭିତରେ ୮୩ ଲକ୍ଷରୁ ଅଧିକ ଶିଶୁ ଶ୍ରମିକ ସଂଖ୍ୟା ହ୍ରାସ ପାଇଥିଲା। ଆମ ଦେଶର ବାର୍ଷିକ ବଜେଟ ପ୍ରାୟ ୪୦ ଲକ୍ଷ କୋଟି ହୋଇ ଥିଲାବେଳେ ଶିଶୁ ଶ୍ରମିକ ପ୍ରବଣ ୨୧ଟି ରାଜ୍ୟର ୩୧୩ ଜିଲାରେ ପରିଚାଳିତ ଉକ୍ତ ପ୍ରକଳ୍ପର ପରିଚାଳନା ପାଇଁ ବାର୍ଷିକ ମାତ୍ର ୧୯୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା, ଯାହାକି ଅନ୍ୟ ବିଭାଗର ବ୍ୟୟବରାଦ ତୁଳନାରେ ଅତ୍ୟନ୍ତ ନଗଣ୍ୟ। ପୁନଶ୍ଚ ଉକ୍ତ ପ୍ରକଳ୍ପ ଯୋଗୁ ଆମ ରାଜ୍ୟ ସମେତ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଶିଶୁ ଶ୍ରମିକ ଉଦ୍ଧାର ହୋଇ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ଆଜି ବିଭିନ୍ନ ପ୍ରକାରର ଉଚ୍ଚ ପଦବୀରେ କାର୍ଯ୍ୟରତ। କିନ୍ତୁ ପରିତାପର ବିଷୟ, ଏକତରଫା ଭାବେ ସରକାର ଉକ୍ତ ପ୍ରକଳ୍ପକୁ ସମଗ୍ର ଶିକ୍ଷା ଅଭିଯାନ ସହିତ ମିଶ୍ରଣ କରିଦେଲେ। ଏଠାରେ ପ୍ରକାଶଯୋଗ୍ୟ, ଯେଉଁ ଶିକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଓ ଯାହାର ଅସଫଳତା ପାଇଁ ଶିଶୁ ଶ୍ରମିକ ପ୍ରଥା ମୁଣ୍ଡ ଟେକିଥିଲା ସେହି ଶିକ୍ଷା ବ୍ୟବସ୍ଥା ଦେଶରେ ଶିଶୁ ଶ୍ରମିକ ପ୍ରଥାର ବିଲୋପ କରିପାରିବ ତ? ୟୁନିସେଫ୍‌ ତଥ୍ୟ ଅନୁଯାୟୀ, ଦେଶରେ ୨୦୧୮-୨୨ ମଧ୍ୟରେ ୬.୧ ନିୟୁତ ସଂଖ୍ୟକ ୬-୧୩ ବୟସର ଶିଶୁ ବିଦ୍ୟାଳୟ ବାହାରେ ଥିଲେ। ୨୦୨୦ ମାର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାରେ ୨୦ରୁ କମ୍‌ ଉପସ୍ଥାନ ଥିବା ୬୩୦୦ ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି। ୟୁନେସ୍କୋ ତଥ୍ୟ ଅନୁଯାୟୀ, ଗତ ଆଠ ବର୍ଷରେ ଦେଶରେ ଖୋଲିଥିବା ପ୍ରତି ୧୦ ବିଦ୍ୟାଳୟ ମଧ୍ୟରେ ୭ଟି ବେସରକାରୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ। ସେହିପରି ୨୦୨୧ ଡିସେମ୍ବର ତଥ୍ୟ ଅନୁସାରେ ଦେଶରେ ସେକେଣ୍ଡାରୀ ସ୍ତରରେ ଡ୍ରପ୍‌ ଆଉଟ୍‌ ମାତ୍ରା ୧୬.୧% ଥିଲାବେଳେ ରାଜ୍ୟରେ ୧୬.୦୬% ରହିଛି। ତାହାହେଲେ ଉକ୍ତ ଛାତ୍ରୀଛାତ୍ର ବିଦ୍ୟାଳୟ ନ ଆସି କୁଆଡ଼େ ଯାଉଛନ୍ତି? ଜିଲାସ୍ତରୀୟ ଶିଶୁ ଶ୍ରମିକ ସର୍ବେକ୍ଷଣ ସମୟରେ ଚିହ୍ନଟ ହେଉଥିବା ଅଧିକାଂଶ ଶିଶୁ ଶ୍ରମିକଙ୍କ ନାମ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଥାଏ। କିନ୍ତୁ ସେମାନେ ପ୍ରତ୍ୟହ ବିଦ୍ୟାଳୟକୁ ନ ଯାଇ କାର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳନ୍ତି। ଯେଉଁ ଶିକ୍ଷା ବ୍ୟବସ୍ଥାରେ ଏତେ ପରିମାଣରେ ଡ୍ରପ୍‌ ଆଉଟ୍‌ ସେହି ଶିକ୍ଷାବ୍ୟବସ୍ଥା ଶିଶୁଶ୍ରମିକ ପ୍ରଥା ପରି ଅତ୍ୟନ୍ତ ସମ୍ବେଦନ ପ୍ରସଙ୍ଗକୁ କେଉଁ ପ୍ରକାରରେ ପ୍ରତିହତ କରିପାରିବ ତାହା ସମୟ କହିବ।
ନିକଟରେ ପ୍ରକାଶିତ କ୍ଷୁଧା ସୂଚକାଙ୍କ ତାଲିକା ଅନୁଯାୟୀ ଭାରତରେ ଶିଶୁମାନଙ୍କ ବିକାଶ ହାର ମାତ୍ର ୧୯.୩%। ବିଶ୍ୱର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଏହି ହାର ନୈରାଶ୍ୟଜନକ। ଶିଶୁଙ୍କ ଉଚ୍ଚତା ଅନୁସାରେ ଓଜନ ବଢ଼ୁନି, ମାନସିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି। ପୁଷ୍ଟିକର ଖାଦ୍ୟର ଅଭାବ ଓ ଉପଯୁକ୍ତ ସ୍ବାସ୍ଥ୍ୟସେବାର ଅଭାବ ଏଭଳି ସ୍ଥିତିର କାରଣ ବୋଲି କୁହାଯାଉଛି। ଏସବୁ ତଥ୍ୟରୁ ଆମେ ଜାଣିପାରିବା ଆମ ଶିଶୁ କେତେ ସୁରକ୍ଷିତ? ସୁତରାଂ, ଶିଶୁ ସୁରକ୍ଷା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ଏଥିପାଇଁ ସରକାର ଯେ କେବଳ ପଦକ୍ଷେପ ନେବେ ତାହା ଭାବିବା ଅନୁଚିତ। ଆମେ ସମସ୍ତେ ଯଦି ଏଥିପାଇଁ ନିଃସ୍ବାର୍ଥପର ଭାବେ ପଦକ୍ଷେପ ନେବା, ତେବେ ଏକ ସୁରକ୍ଷିତ ଶିଶୁ ସମାଜ ଗଠନରେ ଆମେ ସଫଳ ହୋଇପାରିବା ସହିତ ଶିଶୁ ଦିବସ ପାଳନ କରିବାର ଯଥାର୍ଥତା ରହିବ।
କଚେରି ସାହି, ଦେବଗଡ଼
ମୋ: ୯୪୩୭୨୧୮୯୧୭


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri