ଭାରତକୁ ବଡ଼ ଝଟକା: ବଢ଼ିବ ପେଟ୍ରୋଲ-ଡିଜେଲ ଦର! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦।୧୦: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ କାରଣରୁ ହର୍ମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହେବା ପରେ ଭାରତ ଅନ୍ୟାନ୍ୟ ବିକଳ୍ପ ଖୋଜିବା ଆରମ୍ଭ କରିଥିଲା। ରଷିଆରୁ ମଧ୍ୟ ଭାରତକୁ ଅଶୋଧିତ ତୈଳ ଆସୁଥିଲା। କିନ୍ତୁ ଏବେ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ସେଠାରୁ ମଧ୍ୟ ତୈଳ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଭାରତ ପାଇଁ ସମସ୍ୟା ବଢ଼ିପାରେ।

ଯଦି ହଠାତ୍‌ ରୁଷିଆରୁ ଭାରତକୁ ଆସୁଥିବା ଅଶୋଧିତ ତୈଳ ଯୋଗାଣ ବନ୍ଦ ହୋଇଯାଏ, ତେବେ ଦେଶର ତୈଳ ବିଶୋଧନାଗାରଗୁଡ଼ିକ ସାମ୍ନାରେ ନୂଆ ସପ୍ଲାଏ ଯୋଗାଡ଼ କରିବାର ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ଏଭଳି ପରିସ୍ଥିତିରେ ଭାରତକୁ ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଅନ୍ୟ ଦେଶରୁ ତୈଳ କିଣିବାକୁ ପଡ଼ିପାରେ। ଏହାଦ୍ୱାରା ତୈଳ ପରିବହନ ଓ କ୍ରୟ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି।

Kplerର ଆନାଲିଷ୍ଟ ସୁମିତ ରିତୋଲିଆଙ୍କ ଅନୁସାରେ, ରୁଷିଆ -ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ରୁଷ୍ଠାରୁ ବିପୁଳ ପରିମାଣରେ ଅଶୋଧିତ ତୈଳ କିଣିବା ଆରମ୍ଭ କରିଥିଲା। ଅନ୍ୟ ଦେଶ ତୁଳନାରେ ଅନେକ ସମୟରେ କମ ଦାମ୍‌ରେ ତୈଳ ମିଳୁଥିବାରୁ ରୁଷିଆର ଭାରତର ଏକ ପ୍ରମୁଖ ତୈଳ ଯୋଗାଣକାରୀ ଦେଶ ପାଲଟିଥିଲା। କିନ୍ତୁ ଏବେ ରୁଷୀୟ ତୈଳରୁ ମିଳୁଥିବା ଫାଇଦା କିଛି ମାତ୍ରାରେ କମିଛି। ଏହାର ମୁଖ୍ୟ କାରଣ ହେଉଛି ସମୁଦ୍ର ପଥରେ ତୈଳ ପରିବହନ ଖର୍ଚ୍ଚ ବୃଦ୍ଧି। ପରିବହନ ମହଙ୍ଗା ହେବା ଯୋଗୁ ରୁଷିଆରୁ ମିଳୁଥିବା ଶସ୍ତା ତୈଳର ମୋଟ ଖର୍ଚ୍ଚ ମଧ୍ୟ ବଢ଼ିଯାଉଛି।
ଏହି କାରଣରୁ ଭାରତୀୟ ତୈଳ ବିଶୋଧନାଗାରଗୁଡ଼ିକ ଏବେ ମଧ୍ୟପ୍ରାଚ୍ୟ ଦେଶରୁ ତୈଳ କିଣିବା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ଦେଶଗୁଡ଼ିକ ଭାରତର ନିକଟରେ ଥିବାରୁ ତୈଳ ପରିବହନ ଖର୍ଚ୍ଚ କମ ହୋଇପାରେ। ଯଦି ରୁଷିଆରୁ ତୈଳ ଯୋଗାଣ ହଠାତ୍‌ ବନ୍ଦ ହୋଇଯାଏ, ତେବେ ଅନ୍ୟ ଦେଶରୁ ତାହାର ବିକଳ୍ପ ଯୋଗାଡ଼ କରିବା ଭାରତ ପାଇଁ ସହଜ ହେବ ନାହିଁ। ଏହା କେବଳ ଅଧିକ ଦାମ ଦେଇ ତୈଳ କିଣିବାର ପ୍ରଶ୍ନ ନୁହେଁ, ବରଂ ତୈଳର ଉପଲବ୍ଧତା, ଜାହାଜ ବ୍ୟବସ୍ଥା ଏବଂ ଯୋଗାଣ ଶୃଙ୍ଖଳା ସହ ଜଡ଼ିତ ଏକ ବଡ଼ ଚ୍ୟାଲେଞ୍ଜ।

ରୁଷିଆ ବ୍ୟତୀତ ଭେନେଜୁଏଲା ମଧ୍ୟ ଭାରତ ପାଇଁ ଅଶୋଧିତ ତୈଳର ଏକ ବିକଳ୍ପ ହୋଇପାରେ। ସେଠାରୁ ମିଳୁଥିବା ହେଭି କ୍ରୁଡ ଅଏଲ କିଛି ତୈଳ ବିଶୋଧନାଗାର ପାଇଁ ଲାଭଦାୟକ ହୋଇପାରେ। ଭାରୀ ଅଶୋଧିତ ତୈଳ ସାଧାରଣତଃ ଅଧିକ ଘନ ହୋଇଥାଏ ଏବଂ ଏଥିରେ ସଲଫର୍ର ମାତ୍ରା ମଧ୍ୟ ଅଧିକ ରହିପାରେ। ଏହାକୁ ପେଟ୍ରୋଲ ଓ ଡିଜେଲ ଭଳି ଉପଯୋଗୀ ଇନ୍ଧନରେ ପରିଣତ କରିବା ପାଇଁ ସ୍ବତନ୍ତ୍ର ଜ୍ଞାନକୌଶଳ ଓ ଉପକରଣର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

Share