ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ

ବୈଶିଙ୍ଗା,୧୧ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରା ନ ଗଲେ ସ୍ଥାନୀୟ ଲୋକେ ଆସନ୍ତା ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨୫ ବର୍ଷ ତଳେ ଖୁଣ୍ଟାପୁର ସ୍କୁଲ ଛକଠାରୁ ଗ୍ରାମ ଭିତର ଦେଇ ଅସ୍ତପୁରା ଗ୍ରାମକୁ ଦେଢ଼ କି.ମି. ଲମ୍ବର ପିଚୁ ରାସ୍ତାଟିଏ ନିର୍ମାଣ କରାଯାଇଥିଲା। କିଛି ବର୍ଷ ପରେ ପିଚୁ ଉଠିଯାଇ ଖାଲଖମାରେ ରାସ୍ତାଟି ପରିଣତ ହେଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହେବାପରେ ଗ୍ରାମାଞ୍ଚଳରେ ଏହା କିପରି କାର୍ଯ୍ୟକାରୀ ହେଉଛି, ଠିକାଦାର କିପରି କାର୍ଯ୍ୟ ସମ୍ପାଦନ କରୁଛି, ଚୁକ୍ତି ମୁତାବକ ପାଞ୍ଚବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ହେଉଛି କି ନାହିଁ, ଏ ସବୁ ଦେଖିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନାହିଁ। ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର ଉଚ୍ଚ ପଦାଧିକାରୀମାନେ କାର୍ଯ୍ୟାଳୟ ଆସୁ ନ ଥିବା ଯୋଗୁ ଗ୍ରାମବାସୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ବଡ଼ବଡ଼ ମେଟାଲ ସବୁ ଉଠିଯାଇ ରାସ୍ତାରେ ଏଣେତେଣେ ବିଛୁଡି ହୋଇପଡ଼ିି ଥିବାରୁ ଗାଡି,ବାଇକ୍‌ ଚଳାଚଳ କରିବା ଦୂରର କଥା, ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏହି ୨୫ ବର୍ଷ ମଧ୍ୟରେ ଅନେକ ସାଂସଦ, ବିଧାୟକ ଓ ସରପଞ୍ଚ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ବିଦାୟ ନେଇ ସାରିଲେଣି, ମାତ୍ର ଏହି ରାସ୍ତା ପ୍ରତି କାହାରି ଦରଦ ଥିବା ଭଳି ପରିଲକ୍ଷିତ ହୋଇନାହିଁ। ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ଓ ବଡ଼ସାହି ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ନିର୍ବାଚନ ପୂର୍ବରୁ ଓ ପରେ ଏହି ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରତିଶ୍ରୁତିରେ ରହିଯାଇଛି। ବର୍ତ୍ତମାନର ଭାଜପା ବିଧାୟକ ସନାତନ ବିଜୁଳି ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ଭାଗ୍ୟ ବଦଳି ନାହିଁ। ଏଣୁ ଜିଲାପାଳ ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଅତ୍ୟାବଶ୍ୟକ ହୋଇ ପଡିଛି। ରାସ୍ତା ମରାମତି ନ ହେଲେ ସଞ୍ଜୟ କୁମାର ମିଶ୍ର, ଭିକାରୀ ନାଥ, ଦୀପକ ରାଉଳ, ବିଜୟ ପ୍ରଧାନ, ଜୟନ୍ତ ପ୍ରଧାନ ପ୍ରମୁଖ ଅଞ୍ଚଳବାସୀ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।