ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ ହେବାକୁ ଥିବା ଶାନ୍ତି ଆଲୋଚନା ଯଦି ବିଫଳ ହୁଏ, ତେବେ ଆମେରିକା ଇରାନ ଉପରେ ଶକ୍ତିଶାଳୀ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି।
‘ନ୍ୟୁୟର୍କ ପୋଷ୍ଟ’କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ଯୁଦ୍ଧ ଜାହାଜଗୁଡ଼ିକରେ ଅତ୍ୟାଧୁନିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ଭର୍ତ୍ତି କରାଯାଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଇସଲାମାବାଦ ଆଲୋଚନାରୁ ସ୍ପଷ୍ଟ ହୋଇଯିବ ଯେ ଯୁଦ୍ଧ ହେବ ନା ଶାନ୍ତି। ଟ୍ରମ୍ପଙ୍କ ଅନୁଯାୟୀ, ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଇରାନକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ।
ଟ୍ରମ୍ପ କହିଛନ୍ତି ଯେ ଇରାନ ଗୋଟିଏ ପଟେ ପରମାଣୁ ଅସ୍ତ୍ର ଶେଷ କରିବାକୁ କହୁଥିବା ବେଳେ ଅନ୍ୟପଟେ ୟୁରାନିୟମ ସମୃଦ୍ଧକରଣ ଜାରି ରଖିଛି। “ଇରାନ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ,” ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’ରେ ସେ ଲେଖିଛନ୍ତି ଯେ ଇରାନର ନେତାମାନେ କେବଳ ଆଲୋଚନା ପାଇଁ ଜୀବିତ ଅଛନ୍ତି ଏବଂ ସେମାନେ ନିଜର ଶକ୍ତି ଦେଖାଇବା ଅପେକ୍ଷା ’ଫେକ ନ୍ୟୁଜ’ ଓ ପବ୍ଲିକ ରିଲେସନ ମାଧ୍ୟମରେ ଦୁନିଆକୁ ପ୍ରଭାବିତ କରିବାରେ ବେଶୀ ମାହିର।
ଏପ୍ରିଲ ୧୧ ରେ ଇସଲାମାବାଦରେ ଏହି ବୈଠକ ହେବାର ଅଛି, ଯେଉଁଥିପାଇଁ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭେନ୍ସ ରୋଓୱାନା ହୋଇସାରିଛନ୍ତି। କିନ୍ତୁ ଇରାନ ପକ୍ଷରୁ ଦୁଇଟି ସର୍ତ୍ତ ରଖାଯାଇଛି:
୧. ଲେବାନନରେ ଯୁଦ୍ଧବିରତି ଲାଗୁ କରିବା।
୨. ଆମେରିକା ଦ୍ୱାରା ଫ୍ରିଜ କରାଯାଇଥିବା ଇରାନର ସମ୍ପତ୍ତିକୁ ମୁକ୍ତ କରିବା।
ବର୍ତ୍ତମାନ ସୁଦ୍ଧା ଇରାନ ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚି ନ ଥିବାରୁ ଏହି ଆଲୋଚନାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଯଦି ଆଲୋଚନା ବିଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ଏକ ବଡ଼ ଧରଣର ଯୁଦ୍ଧ ହେବାର ଆଶଙ୍କା କରାଯାଉଛି।

