ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ

ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ ଚାଲିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ସାଣ୍ଟାକ୍ରୁଜ୍‌ରେ କହିଛନ୍ତି।
କର୍ନାଟକ ବିଧାନସଭା ନିର୍ବାଚନରେ ଦଳର ଆଶାତୀତ ସଫଳତାକୁ ନେଇ ଉତ୍ସାହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ସିଲିକନ୍‌ ଭ୍ୟାଲି କ୍ୟାମ୍ପସ୍‌ରେ ମଙ୍ଗଳବାର ଭାରତୀୟ ବଂଶୋଦ୍ଭବମାନଙ୍କ ସହ ଭାବ ବିନିମୟ ସହିତ ସମ୍ବୋଧିତ କରି କହିଛନ୍ତି, ଭାଜପାରେ ଉଠାପକା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଜଣେ ରାଜନୈତିକ ଉଦ୍ୟୋକ୍ତା ଭାବେ ସେ ଏହାକୁ ଦେଖିପାରୁଛନ୍ତି। ବିରୋଧୀ ଦଳଗୁଡ଼ିକ ଭଲ ଭାବେ ଏକଜୁଟ ହେଲେ ଭାଜପାକୁ ହରାଯାଇପାରିବ। କର୍ନାଟକ ନିର୍ବାଚନରେ କଂଗ୍ରେସ ଦଳ ଭାଜପାକୁ ପରାସ୍ତ କରିଛି। କିନ୍ତୁ ସେଥିରେ ପ୍ରୟୋଗ କରାଯାଇଥିବା ଗଣିତକୁ ଅନେକେ ଭଲ ଭାବେ ବୁଝିପାରିନାହାନ୍ତି। କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ କୌଶଳ ଆପଣାଇ ନିର୍ବାଚନ ଲଢ଼ିଥିଲା। ‘ଭାରତ ଯୋଡ଼ୋ ଯାତ୍ରା’ର ପ୍ରଭାବ ମଧ୍ୟ ଏହା ଉପରେ ପଡ଼ିଥିଲା। ଏହି ନିର୍ବାଚନରେ ଭାଜପା କଂଗ୍ରେସ ତୁଳନାରେ ୧୦ ଗୁଣା ଅଧିକ ଟଙ୍କା ଖର୍ଚ୍ଚ କରିଥିଲା ବୋଲି ରାହୁଲ କହିଛନ୍ତି।
କଂଗ୍ରେସର ୫୨ ବର୍ଷୀୟ ପୂର୍ବତନ ଅଧ୍ୟକ୍ଷ ରାହୁଲ ଆହୁରି କହିଛନ୍ତି, ଭାରତରେ ଭାଜପାକୁ ହରାଇବା ପାଇଁ ଏକ ବିକଳ୍ପ ଦୂରଦୃଷ୍ଟି ଆବଶ୍ୟକ। ବିଶେଷକରି ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଏକତା ଏଥିରେ ସହାୟକ ହେବ। ବିରୋଧୀ ଦଳଗୁଡ଼ିକ କେବଳ ଏକାଠି ହେବା ପର୍ଯ୍ୟାପ୍ତ ନୁହେଁ। ଭାଜପାର ଏକ ବିକଳ୍ପ ହେବା ପାଇଁ ଉପଯୁକ୍ତ ରଣନୀତି ଆବଶ୍ୟକ। ‘ଭାରତ ଯୋଡ଼ୋ ଯାତ୍ରା’ ଏଦିଗରେ ପ୍ରଥମ ପଦକ୍ଷେପ ଥିଲା, ଯାହାକୁ ନେଇ କୌଣସି ବିରୋଧୀ ଦଳ ଅସହମତି ପ୍ରକାଶ କରିବେ ନାହିଁ। ଭାରତରେ ସମସ୍ତଙ୍କ ସ୍ବତନ୍ତ୍ର ସ୍ବର ରହିବା ଉଚିତ। ସେହି ସ୍ବରକୁ ସମ୍ମାନ ଦିଆଯିବା ଆବଶ୍ୟକ। ଭାରତୀୟଙ୍କ ସ୍ବର ଏକ ସମ୍ପତ୍ତି ବୋଲି ରାହୁଲ କହିଛନ୍ତି।
ଅନ୍ୟପକ୍ଷେ ଭାଜପା ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି। ରାହୁଲ ଜଣେ ‘ନକଲି ଗାନ୍ଧୀ’। ତାଙ୍କୁ କିଛି ଜଣା ନ ଥିବା ସତ୍ତ୍ୱେ ସେ ସବୁକଥାରେ ବିଶେଷଜ୍ଞ ପାଲଟିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି, ରାହୁଲଙ୍କ ତାଙ୍କ ପରିବାର ବ୍ୟତୀତ ଇତିହାସ ସମ୍ପର୍କରେ କିଛି ଜାଣନ୍ତି ନାହିଁ।

Share