ଆଜି ନ ହେଲେ କାଲି ଅନରେବଲ୍‌ ମିନିଷ୍ଟର ହେବି

ଭୁବନେଶ୍ୱର,୬ା୭(ବ୍ୟୁରୋ): ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ବାଚସ୍ପତି ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ଲାଗି ମୌସୁମୀ ଅଧିବେଶନ ପରିିଚାଳନା କରୁଛନ୍ତି। ଗୃହ ପରିଚାଳନାରେ ଅଭ୍ୟସ୍ତ ନ ଥିବାରୁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସମ୍ବୋଧନରେ ଟିକେ ଏପଟ ସେପଟ ହୋଇଯାଉଛି। ମଙ୍ଗଳବାର ବିଧାନସଭାରେ ଏଭଳି କିଛି ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଚାଲିଥିବା ବେଳେ ବିଜେଡି ସଭ୍ୟ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତର ଦେଉଥାଆନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ଅତିରିକ୍ତ ପ୍ରଶ୍ନ ପଚାରିବାକୁ ବାଚସ୍ପତି କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବୋଧନ କରି ଡାକିଲେ। ତାରା ଛିଡ଼ା ହୋଇ ପ୍ରଶ୍ନ ଆରମ୍ଭ କରିବା ବେଳକୁ ଶାସକ ଦଳର ଜଣେ ସଦସ୍ୟ ବାହିନୀପତିଙ୍କୁ ବାଚସ୍ପତି ଅନରେବଲ୍‌ ମିନିଷ୍ଟର କହିଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ବାଦ୍‌ ଦେବାକୁ କହିଥିଲେ। ତାରା କହିଲେ, ମୁଁ ନିଶ୍ଚୟ ଅନରେବଲ୍‌ ମିନିଷ୍ଟର ହେବି। ଆଜି ନ ହେଲେ କାଲି ହେବି। କଂଗ୍ରେସ କ୍ଷମତାକୁ ଆସିବ ଓ ମୁଁ ମନ୍ତ୍ରୀ ହେବି। ବାଚସ୍ପତି ଅନରେବଲ୍‌ ମିନିଷ୍ଟର ପ୍ରସଙ୍ଗକୁ ବିବରଣୀରୁ ବାଦ୍‌ ଦେଇଥିଲେ।