ନିଜେ ନ ସୁଧୁରିଲେ

ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ଚାକିରିରୁ ହଟେଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଥିବା କହିଛନ୍ତି। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦ ବର୍ଷ ଚାକିରି କରି ସାରିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସର କିମ୍ବା ଅନ୍ୟ ଅଫିସର, ଯେଉଁମାନେ କାମ ଠିକ୍‌ ଭାବେ କରିପାରୁନାହାନ୍ତି ଓ ଦୁର୍ନୀତିରେ ଜଡ଼ିତ ଥିବା ଜଣାପଡ଼ୁଛି ସେମାନଙ୍କୁ ବିଦା କରିବା ସକାଶେ ସବୁ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସାଧୁତାକୁ ନେଇ ସନ୍ଦେହରେ ଥିବା ଏଭଳି ଅଧିକାରୀଙ୍କ ସର୍ଭିସ ବୁକ୍‌ ରେକର୍ଡ ଆଧାରରେ ତାଲିକା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶନାମାରେ କୁହାଯାଇଛି।
ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବିଦା କରିବା ଲାଗି ସରକାରୀ ସ୍ତରରେ ଆଲୋଚନା ହେବା ସକାରାତ୍ମକ ଦିଗକୁ ଅନିଶା କରୁଛି। କାରଣ ଏଭଳି ଅଧିକାରୀ ବା କର୍ମଚାରୀଙ୍କ ଉପସ୍ଥିତି ବ୍ୟବସ୍ଥାକୁ ପଙ୍ଗୁ କରିଦେଇଥାଏ। କିନ୍ତୁ ଏହିସବୁ ଅଧିକାରୀଙ୍କ ତାଲିକା କିଏ ପ୍ରସ୍ତୁତ କରିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁମାନେ ଶୀର୍ଷରେ ଅଛନ୍ତି, ସେମାନଙ୍କ ବୟସ ନିଶ୍ଚିତ ଭାବେ ୫୦-୫୫ରୁ ଊର୍ଦ୍ଧ୍ୱ ହୋଇଥିବ। ସେମାନେ ନିଜେ କେଉଁଭଳି ଭାବେ କାର୍ଯ୍ୟ କରି ପଦୋନ୍ନତି ପାଇଥିଲେ ତାହାର ବିଚାର କରିବ କିଏ। ଅର୍ଥାତ୍‌ ଉଚ୍ଚସ୍ତରର ସରକାରୀ କର୍ମଚାରୀ ଯୌବନରେ ସଚ୍ଚୋଟ ଥିଲେ ବୋଲି ଜାଣିବା ଯେଉଁଭଳି ଭାବେ କଷ୍ଟ, ଏବେ ମଧ୍ୟ ସେମାନଙ୍କ ସଚ୍ଚୋଟତାର ସାର୍ଟିଫିକେଟ୍‌ ଯୋଗାଡ଼ କରିବା ଅସମ୍ଭବ କାର୍ଯ୍ୟ। ତେବେ ଏମାନଙ୍କ ହାତରେ ସରକାରଙ୍କ ନିଷ୍ପତ୍ତିକୁ ସଅଁପି ଦିଆଗଲେ ଯେଉଁ ତାଲିକା ପ୍ରସ୍ତୁତ ହେବ ତାହାର ବାସ୍ତବତା ଉପରେ ସନ୍ଦେହ ସୃଷ୍ଟି ହେବା ଥୟ। କାରଣ ଯାହାର ଯାହାଙ୍କ ପ୍ରତି ଦରଦ ଥିବ ସେଭଳି କ୍ଷେତ୍ରରେ ବ୍ୟକ୍ତି ଯେତେ ଅପାରଗ ବା ଦୁର୍ନୀତିଗ୍ରସ୍ତ ହେଲେ ମଧ୍ୟ ତାଲିକାରେ ସ୍ଥାନ ପାଇବେ ନାହିଁ। ଅପରପକ୍ଷରେ ଯଦି ଆଜିର ଉଚ୍ଚପଦସ୍ଥ ବାବୁ ଅତୀତରେ କୌଣସି ଭୁଲ କାର୍ଯ୍ୟ କରିବାକୁ ଚେଷ୍ଟା କଲାବେଳେ କୌଣସି ସଚ୍ଚୋଟ କର୍ମଚାରୀ ତାଙ୍କୁ ବାଧା ଦେଇଥାନ୍ତି, ତେବେ ଆଜି ସେହି ସଚ୍ଚୋଟ କର୍ମଚାରୀଙ୍କ ଭବିଷ୍ୟତ କ’ଣ ହେବ। ଆଜିର ଶାସନ ଓ ପ୍ରଶାସନିକ ବାତାବରଣ ଦେଖିଲେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ଅଫିସରଙ୍କ ରାଜ୍‌ ଚାଲିଛି। ସିଭିଲ୍‌ ସର୍ଭିସ୍‌ରୁ ଆସିଥିବାରୁ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସେମାନେ ଅଧିକ ସତର୍କ ଓ ସଚେତନ ଅଛନ୍ତି ବୋଲି ଏକ ଧାରଣା ରହୁଥିବାରୁ ରାଜନୈତିକ କ୍ଷମତା ହାସଲ କରିଥିବା ବ୍ୟକ୍ତି ପ୍ରଶାସକଙ୍କୁ ପୂରା ବିଶ୍ୱାସକୁ ନେଇଯାଉଛନ୍ତି। ଫଳରେ ସରକାରୀ ଯୋଜନା ରୂପାୟନରେ ଲୋକ ପ୍ରତିନିଧିଙ୍କ ଭୂମିକା ଗୌଣ ହୋଇଯାଉଛି। ଅନ୍ୟପକ୍ଷରେ ପ୍ରଶାସକମାନେ ବଳୀୟାନ ହୋଇ ଦୁର୍ନୀତି କରିବାକୁ ସୁଯୋଗ ପାଇପାରୁଛନ୍ତି। ସାଧାରଣରେ ସମସ୍ତେ ଜାଣନ୍ତି ଯେ କୌଣସି ପ୍ରଶାସନିକ କାର୍ଯ୍ୟ ଯଥା ବଦଳି ବାତିଲ ବା ମନପସନ୍ଦ ଜାଗାରେ ନିଯୁକ୍ତି ପାଇବା ପାଇଁ ନେତାଙ୍କ ଅପେକ୍ଷା ଅଫିସର ଶୀଘ୍ର କାମ କରେଇ ଦେଇଥାଆନ୍ତି। ଏହା ମଧ୍ୟ ଜଣାଶୁଣା ଯେ, ଯେଉଁ ଅଫିସର ୧୦୦ ଟଙ୍କା ବେଆଇନ ଭାବେ ଆଦାୟ କରନ୍ତି, ସେଥିରୁ ମାତ୍ର ୧୦ ଟଙ୍କା ଯାଏ ରାଜନେତାଙ୍କ ପାଖକୁ। ବାକି ଅର୍ଥ ରହିଯାଏ ବାବୁଙ୍କ ପକେଟରେ।
ସରକାରୀ ଚାକିରିଆଙ୍କ ଖାଦି ସର୍ବଦା ଆଗରେ ରହିଥାଏ। ଥରେ ପରୀକ୍ଷା ଦେଇ ଚାକିରି ପାଇଯିବା ପରେ ତାହା ଯିବା କାଠିକର ପାଠ ହୋଇଥିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରିଥାଆନ୍ତି। ଯାହା କରିବା ଦରକାର ତାହା ଅନୁଯାୟୀ ଆଇନକୁ ମୋଡ଼ିବା ସେମାନଙ୍କ ପାଇଁ ଏକ ସହଜ କାର୍ଯ୍ୟ ହୋଇଥାଏ। କେତେକେ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ବିଷୟ ପଦାକୁ ଆସିଥାଏ। ଏହି ପରିପ୍ରେକ୍ଷୀରେ ଥାନା ଭିତରେ ହତ୍ୟା ଓ ବଳାତ୍କାର ଘଟାଉଥିବା ପୋଲିସ କର୍ମଚାରୀଙ୍କୁ ଘୋଡ଼ାଇବା ପାଇଁ ଉଚ୍ଚପଦସ୍ଥ ଅଫିସରମାନେ ମଧ୍ୟ ଲାଗି ପଡ଼ିଥାଆନ୍ତି। ସେହିଭଳି ବଟି ନେଉଥିବା ତହସିଲଦାର କିମ୍ବା ବିଡିଓଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବା ସକାଶେ ଜିଲାପାଳଙ୍କଠାରୁ ସଚିବଙ୍କ ପର୍ଯ୍ୟନ୍ତ ଗଛପତ୍ରରେ ପଡ଼ିଯାଇଥାନ୍ତି।
ସରକାରୀ ସ୍ତରରେ ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ବାଛିବା ପାଇଁ କାର୍ଯ୍ୟକୁ ମାନଦଣ୍ଡ ଭାବେ ନିଆଯିବା ଦରକାର। ଜଣେ ତାଙ୍କ କାର୍ଯ୍ୟକାଳ ଭିତରେ ଜନସାଧାରଣଙ୍କ ମଙ୍ଗଳ ହେଲା ଭଳି କେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି, ତାହାକୁ ତର୍ଜମା କରାଯିବା ଉଚିତ। କେବଳ ଅମଲାତାନ୍ତ୍ରିକ ସ୍ତରରେ ଥିବା ବ୍ୟକ୍ତି ନୁହନ୍ତି, କୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ମପାଯିବା ଦରକାର। ଜଣେ ବିଚାରପତି ତାଙ୍କ କାର୍ଯ୍ୟକାଳ ଭିତରେ କେତୋଟି ପୂର୍ଣ୍ଣାଙ୍ଗ ରାୟ ଦେଇଛନ୍ତି, ତାହାକୁ ବିଚାର କରାଯାଇ ସେମାନଙ୍କ ଅପାରଗ ଓ ସ୍ଥଳବିଶେଷରେ ଦୁର୍ନୀତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବା ଉଚିତ। କେବଳ କେନ୍ଦ୍ରରୁ ନିର୍ଦ୍ଦେଶନାମା ଜାରି କରିଦେଲେ ହେବ ନାହିଁ, ଜଣଙ୍କ ଦକ୍ଷତା ମାପିବା ଦାୟିତ୍ୱ ଯାହାଙ୍କ ଉପରେ ନ୍ୟସ୍ତ କରାଯିବ ସେହି ବ୍ୟକ୍ତିଙ୍କ ପାରମଙ୍ଗମତା ଓ ସାଧୁତା ପ୍ରଥମେ ଦେଖାଯିବା ଦରକାର। ଏହି ପ୍ରଚ୍ଛଦପଟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ତାଲିକା ପ୍ରଥମେ କେନ୍ଦ୍ର ସରକାର ନିଜେ ଆରମ୍ଭ କରିବାର ପ୍ରୟୋଜନ ରହିଛି। କାରଣ ଆଲୋଚିତ ନିର୍ଦ୍ଦେଶନାମା ପୂର୍ବରୁ ମଧ୍ୟ ଅନେକ ଥର ପ୍ରକାଶ ପାଇଥାଏ ଏବଂ ତାହା କିଛି ଦିନ ପରେ ଉଭାନ ହୋଇଯାଏ।
ଯେପର୍ଯ୍ୟନ୍ତ ରାଜନେତାମାନେ କ୍ଷମତାକୁ ଆସୁଛନ୍ତି, ସେପର୍ଯ୍ୟନ୍ତ ନିର୍ବାଚନ ଜିଣିବା ପାଇଁ ଏବଂ ଦଳ ଚଳାଇବା ସକାଶେ ଅପର୍ଯ୍ୟାପ୍ତ ଅର୍ଥର ପ୍ରୟୋଜନ ରହିବ। ସାଧାରଣରେ ଦେଖାଯାଏ, ଯେଉଁ ସରକାରୀ ଅଧିକାରୀ ସଚ୍ଚୋଟ ହୋଇ କାର୍ଯ୍ୟ କରିଥାଆନ୍ତି, ତାଙ୍କ ଦ୍ୱାରା ଖଡ଼ା ସିଝେ ନାହିଁ। ଅର୍ଥାତ୍‌ ଯେତିକି ସଚ୍ଚୋଟ, ସେତିକି ଅକାମୀ। ଅନ୍ୟପଟେ ଯେଉଁ ବାବୁମାନେ ନେଇଆଣି ଥୋଇପାରନ୍ତି ସେହିମାନେ ଦୁନୀତିଗ୍ରସ୍ତ ହୋଇଥାନ୍ତି। ଏଭଳି ସ୍ଥିତିରେ ରାଜନେତାମାନେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କୋଳେଇ ନେବା ପାଇଁ ପସନ୍ଦ କରିଥାଆନ୍ତି। ସେଥିପାଇଁ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁ ପର୍ଯ୍ୟନ୍ତ ବିପୁଳ ଅର୍ଥ ଲୋଡ଼ା ହେଉଥିବ, ସେ ପର୍ଯ୍ୟନ୍ତ କ୍ଷମତାସୀନ ବ୍ୟକ୍ତିମାନେ ଦୁର୍ନୀତିଗ୍ରସ୍ତ ହେଉଥିବେ। ଯେତେଦିନ ପର୍ଯ୍ୟନ୍ତ ରାଜନୈତିକ ନେତାମାନେ ଦୁର୍ନୀତିଗ୍ରସ୍ତ ହେଉଥିବେ ସେହିଦିନ ଯାଏ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଚାହିଦା ରହିଥିବ। ମୋଦି ସରକାରଙ୍କ ଏହି ନିର୍ଦ୍ଦେଶନାମା ପଛରେ କୌଣସି ବିଚକ୍ଷଣ ଚିନ୍ତାଧାରା ନାହିଁ। ନିଜେ ନ ସୁଧୁରିଲେ, ପୃଥିବୀ ସୁଧୁରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri