Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ କରି ଚମକିପାରନ୍ତି ଏହି ପ୍ରତିଭାଶାଳି କ୍ରିକେଟର, ମାରିପାରନ୍ତି ଦ୍ୱିଶତକ: ଚୋପ୍ରା

ନୂଆଦିଲ୍ଲୀ,୨୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପକ୍ଷରୁ ଓପନିଂ କରିବେ ଶିଖର ଧଓ୍ବନ। ତେବେ ତାଙ୍କ ସହ କେ.ଏଲ୍‌. ରାହୁଲ ପଡ଼ିଆକୁ ଓହ୍ଲାଇବା ଉଚିତ। ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବ ଓପନର୍‌ ତଥା କ୍ରିକେଟ ବିଶ୍ଳେଷକ ଆକାଶ ଚୋପ୍ରା। ସେ କହିଛନ୍ତି ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ.ଏଲ୍‌ଙ୍କୁ ଓପନିଂ କରିବାର ମଉକା ମିଳିବା ଉଚିତ। ଏପରି କରିବା ଦ୍ୱାରା ସେ ଅତି ସହଜରେ ଦ୍ୱିଶତକ କରିପାରନ୍ତି ବୋଲି ସେ କହିଛନ୍ତି।

ଆଇପିଏଲ୍‌ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରିଥିଲେ ରାହୁଲ। ସେ ୧୪ ମ୍ୟାଚ୍‌ରେ ୬୭୦ ରନ୍‌ କରି ଅରେଞ୍ଜ କପ୍‌ ଜିତିଥିଲେ। ଏହି ପ୍ରତିଭାଶାଳୀ ଖେଳାଳି ଏକଦିବସୀୟ ସିରିଜ୍‌ରେ ଭଲ ପ୍ରଦର୍ଶନ ମଧ୍ୟ କରିପାରନ୍ତି। ରୋହିତଙ୍କ ବଦଳରେ ଯଦି କୌଣସି ଓପନିଂ ଖେଳାଳିକୁ ବଛାଯାଏ ତେବେ ସେ ସଞ୍ଜୁ ସାମସନ ନଚେତ କେଏଲ୍‌ ରାହୁଲ ହେବା ଆବଶ୍ୟକ। ବିଶେଷକରି କେ.ଏଲ୍‌ ରାହୁଲ ଖେଳିବା ଉଚିତ। କାରଣ ସେ ଲମ୍ବା ସମୟ ଧରି ଖେଳିପାରନ୍ତି। ଯଦି ସେ ପ୍ରଥମରୁ ଭଲ ଖେଳନ୍ତି , ତାହାହେଲେ ଦ୍ୱିଶତକ ମଧ୍ୟ କରିପାରନ୍ତି ବୋଲି ସେ କହିଛନ୍ତି।

Share