ବର୍ଷା ହେଲେ ପାଠପଢ଼ା ବନ୍ଦ

ତେନ୍ତୁଳିଖୁଣ୍ଟି, ୨୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅଧୀନ ଖଣ୍ଡିଆଗୁଡ଼ା ଗ୍ରାମ ମାତ୍ର ବ୍ଲକଠାରୁ ୩ରୁ ୪କି.ମି. ମଧ୍ୟରେ ରହିଛି। ଆଖପାଖ ଅଞ୍ଚଳରୁ ୫ରୁ ୬ ଗ୍ରାମକୁ ନେଇ ରାଜସ୍ବ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୦ ଛାତ୍ରୀଛାତ୍ର ପଢ଼ନ୍ତି। ସ୍କୁଲରେ ୨ଜଣ ଶିକ୍ଷକ ମଧ୍ୟ ଅଛନ୍ତି। କିନ୍ତୁ ଏଠାରେ ଶ୍ରେଣୀଗୃହର ଅଭାବ। ବର୍ଷା ହେଲେ ସ୍କୁଲରେ ପାଠପଢ଼ା ବନ୍ଦ ହୁଏ।
ସ୍କୁଲରେ ରହିଥିବା ଏକମାତ୍ର କୋଠାଘରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଚାଲୁଛି। ତାହା ମଧ୍ୟ ପରିତ୍ୟକ୍ତଭାବେ ରହିଛି। ଆଉ ୨ଟି ଟିଣଛପର ଘର ପରିତ୍ୟକ୍ତ ଅବସ୍ଥା ଅନେକ ବର୍ଷ ହେଲା ପଡ଼ି ରହିଛି। ବର୍ଷା ହେଲେ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷକ ଜୀବନ ରକ୍ଷା ଚିନ୍ତାରେ ରହିଥାନ୍ତି। ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନ ଥିବାରୁ ବାଧ୍ୟହୋଇ ଗୋଟିଏ ସ୍ଥାନରେ ଶିକ୍ଷୟିତ୍ରୀଶିକ୍ଷକମାନେ ସେମାନଙ୍କୁ ପଢ଼ାଉଛନ୍ତି। ଏପରି ଅବସ୍ଥାରେ ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶିଯାଏ। ତେଣୁ ଏଠାରେ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଏ। ଭଗ୍ନ ଶ୍ରେଣୀଗୃହ ପାର୍ଶ୍ୱରେ ବିଦ୍ୟାଳୟ ଶୌଚାଳୟ ମଧ୍ୟ ରହିଛି। ବିଦ୍ୟାଳୟ ପାଚେରି ଓ ମୁଖ୍ୟ ଫାଟକ ମଧ୍ୟ ନାହିଁ। ସ୍କୁଲଟି ମୁଖ୍ୟ ରାସ୍ତା ସମ୍ମୁଖରେ ଅବସ୍ଥିତ। ଦୈନିକ ଶତାଧିକ ଗାଡ଼ି ଯିବା ଆସିବା କରେ। ତେଣୁ କୌଣସି ସମୟରେ ବି ଏଠାରେ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପିଲାମାନେ ଏଠାରେ ସୁରକ୍ଷିତ ନ ଥିବା ଭାବି ଅଭିଭାବକ ଏବେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅମଙ୍ଗ ହେଉଛନ୍ତି। କେତେଜଣ ପିଲା ଏଠାରୁ ଯାଇ ଅନ୍ୟତ୍ର ନାମ ମଧ୍ୟ ଲେଖାଇଲେଣି। ତଥାପ ଶିକ୍ଷା ବିଭାଗୀୟ ଅଧିକାରୀ ସବୁ ଜାଣି ବି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଏ ନେଇ ଖଣ୍ଡିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ଭଞ୍ଜଙ୍କୁ ପଚାରିବାରୁ ବିଦ୍ୟାଳୟ ପରିଚାଳନା କମିଟି ଏ ବିଷୟରେ ବୈଠକ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି। ପୁନର୍ବାର ଆଉ ଏକ ବୈଠକ କରି ପତ୍ର ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି।