ଇସ୍ଲାମାବାଦ,୨୫।୨:ବିକାଶରେ ପାକିସ୍ତାନ ଯଦି ଭାରତକୁ ପଛରେ ନ ପକାଏ ତେବେ ମୋ ନାଁ ଶେହବାଜ ଶରିଫ୍ ରହିବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିକଟରେ ଦେଇଥିବା ଭାଷଣ ଭାଇରାଲ ହେବାରେ ଲାଗିଛି। ଏଭଳି ଦାବି କରି ଶରିଫ ନିଜ ନାମ ହରାଇବା ନେଇ ଚିନ୍ତାରେ ପଡ଼ିଛନ୍ତି।
ଶେହବାଜ ବିଭିନ୍ନ ସମୟରେ ରାଲିରେ ଚିତ୍କାର କରି କହିବା ସହ ବେଳେବେଳେ ଅତ୍ୟଧିକ ଭାବପ୍ରବଣ ହୋଇପଡ଼ିଥାନ୍ତି। ସେ ନିକଟରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଡେରା ଘାଜି ଖାନ୍ରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଭାଷଣ ଦେବାବେଳେ ସେ ହାତକୁ ଉପରକୁ ଟେକି ଜୋର୍ରେ ହଲାଇବା ସହ ମଞ୍ଚରେ ଡେଇଁଥିଲେ ଓ ବାରମ୍ବାର ଛାତି ଓ ଟେବୁଲ ବାଡ଼େଇଥିଲେ। ସେ କହିଥିଲେ, ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ତାଙ୍କ ସରକାର କଠିନ ପରିଶ୍ରମ କରୁଛନ୍ତି। ପାକିସ୍ତାନକୁ ବିକଶିତ କରିବା ପାଇଁ ଆମେ ଦିନରାତି କାମ କରିବୁ। ଆଲ୍ଲାଙ୍କ ଆଶୀର୍ବାଦ ସବୁବେଳେ ପାକିସ୍ତାନ ସହ ରହିଛି। ଆମ ଉଦ୍ୟମ ବଳରେ ପାକିସ୍ତାନ ବିକାଶ ଓ ସମୃଦ୍ଧିରେ ଭାରତକୁ ଯଦି ପଛରେ ନ ପକାଏ, ତେବେ ମୋ ନାଁ ଶେହବାଜ ଶରିଫ ରହିବ ନାହିଁ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଥିଲେ।


