‘ମୁଁ ରାଷ୍ଟ୍ରପତି ଥିଲେ, ରୁଷିଆ ଉପରେ ପରମାଣୁ ବୋମା ପକାଇବା ଧମକ ଦେଇଥାନ୍ତି’

ଓ୍ବାଶିଂଟନ୍‌,୨୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ସେ ଏବେ ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପରମାଣୁ ଯୁଦ୍ଧ ଧମକ ଦେଇଥାନ୍ତେ। ମୁଁ ତାଙ୍କୁ (ପୁଟିନ) ଲଗାତାର ଏନ୍‌- ଶବ୍ଦ ବ୍ୟବହାର କରୁଥିବାର ଶୁଣିଛି। ସେ କ୍ରମାଗତ ଭାବରେ ପରମାଣୁ ଶବ୍ଦ ବ୍ୟବହାର କରୁଥିବା ସେ କହିଛନ୍ତି।
ମାର୍ଚ୍ଚ ୨୧ରେ, ଫକ୍ସ ବିଜନେସର ଷ୍ଟୁଆର୍ଟ ଭର୍ନିଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ଉପରେ ଆକ୍ରମଣ କରି କହିଛନ୍ତି, ଆମେ କହୁଛୁ ଓହ, ସେ ଆଣବିକ ଶକ୍ତି। କିନ୍ତୁ ଆମେ ବିଶ୍ୱର ବଡ ଆଣବିକ ଶକ୍ତି। ଆମ ପାଖରେ ସବୁକିଛି ଅଛି। ତେଣୁ ଆଗକୁ ଆସି ରୁଷିଆକୁ ପରମାଣୁ ଧମକ ଦେବା ଆବଶ୍ୟକ। ସେଠାରେ (ୟୁକ୍ରେନ) ହଜାର ହଜାର ଲୋକ ମରୁଛନ୍ତି। ଆମେ କିଛି ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।
ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ମାସେରୁ ଅଧିକ ଦିନ ହେଲାଣି। ଯଦିଓ ନାଟୋ ଦେଶ ଏବଂ ଆମେରିକା ୟୁକ୍ରେନକୁ ସମର୍ଥନ କରୁଛନ୍ତି କିନ୍ତୁ ରୁଷିଆ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଅନ୍ୟପକ୍ଷରେ, ୟୁକ୍ରେନ ମାଟିରେ ହାଇପରସୋନିକ କ୍ଷେପଣାସ୍ତ୍ର ନିକ୍ଷେପ କରି ରୁଷିଆ କେବଳ ନାଟୋ ନୁହେଁ, ଆମେରିକାକୁ ଚ୍ୟାଲେଞ୍ଜ କରିଛି।

Share