ସୁଯୋଗ ମିଳିଲେ ପୁଣି ନିର୍ବାଚନ ଲଢ଼ିବି: ପ୍ରମିଳା ବିଶୋୟୀ

ବ୍ରହ୍ମପୁର,୨୦ା୧୧(ନରସିଂହ ସାହୁ): ସୁଯୋଗ ମିଳିଲେ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିବି ବୋଲି ଆସିକା ବିଜେଡି ଏମ୍‌ପି ପ୍ରମିଳା ବିଶୋୟୀ କହିଛନ୍ତି। ଏଥିପାଇଁ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିକେଟ ପାଇଁ ସେ ଆବେଦନ କରିଥିବା ଦର୍ଶାଇଛନ୍ତି। ରବିବାର ବ୍ରହ୍ମପୁରରେ ଅନୁଷ୍ଠିତ ଗଞ୍ଜାମ ଜିଲା ସମବାୟ ସଂଘର କାର୍ଯ୍ୟକ୍ରମରେ ପ୍ରମିଳା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଧରିତ୍ରୀ ପକ୍ଷରୁ ତାଙ୍କୁ ଆପଣ ଆଉ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ପଚାରିବାରୁ ନବୀନ ବାବୁ ତାଙ୍କୁ ପୁଣି ପ୍ରାର୍ଥୀ କରାଇବେ ବୋଲି ଆଶା ଥିବା କହିଥିଲେ। ଆପଣ ଗଣତନ୍ତ୍ରର ପବିତ୍ର ମନ୍ଦିର ଲୋକ ସଭାକୁ ନିର୍ବାଚିତ ହେବାର ୫ ବର୍ଷ ପୂରିବାକୁ ଯାଉଛି। ଏହି ସମୟ ମଧ୍ୟରେ କ’ଣ ଅନୁଭୂତି ହାସଲ କରିଛନ୍ତି ବୋଲି ଆଉ ଏକ ପ୍ରଶ୍ନର ଉତ୍ତରରେ ପ୍ରମିଳା କହିଥିଲେ ଅନେକ ବିଷୟ ଶିଖିଲି ଏବଂ ମହିଳା ତଥା ସ୍ବୟଂ ସହାୟକ ଗୋଷ୍ଠୀର ସ୍ବାର୍ଥ ସମ୍ବଳିତ କେତେକ ପ୍ରଶ୍ନ ମଧ୍ୟ ପଚାରିଥିଲି। ନବୀନ ବାବୁ ମୋ ପ୍ରତି ବିଶ୍ୱାସ ଓ ଆସ୍ଥା ପ୍ରକଟ କରି ପାର୍ଲାମେଣ୍ଟକୁ ଯିବାର ସୁଯୋଗ ଦେଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ବୋଲି କହିବା ସହ କୃତଜ୍ଞତା ଜଣାଇଥିଲେ। ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ବିଭିନ୍ନ କାର୍ଯ୍ୟ କରିଥିବା ସେ କହିଥିଲେ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେରମାରିଆ ଗାଁର ତଥା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ବିଜେଡି ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଥିଲେ। ଏହା ଜିଲାବାସୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ପ୍ରମିଳା ଏମ୍‌ପି ହେବାରୁ ୭ଟି ଯାକ ବିଧାନସଭା ସେଗ୍‌ମେଣ୍ଟବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି।