୨୦୮୫ ବେଳକୁ ବିଶ୍ୱରେ ଘଟିପାରେ ଏମିତି କିଛି: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୮ା୪(ପି.ଟି.):ବିଶ୍ୱ ତାପନ ଜାରି ରହିଲେ ୨୦୮୫ ବେଳକୁ ଜୀବଜଗତର ଏକ-ତୃତୀୟାଂଶ ଅତ୍ୟଧିକ ଚରମ ପାଣିପାଗ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ନେଚର ଇକୋଲୋଜି ଆଣ୍ଡ ଇଭଲ୍ୟୁଶନ ନାମକ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ତେବେ ନିର୍ଗମନକୁ ଦ୍ରୁତ ବେଗରେ ନେଟ୍‌ ଜିରୋ ସ୍ତରକୁ କମାଇବା ଦ୍ୱାରା ଏହି ପ୍ରଭାବଗୁଡ଼ିକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଅଧ୍ୟୟନରେ କୁହାଯାଇଛି।
ଜର୍ମାନୀର ପୋଟ୍ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚର ଗବେଷକମାନଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଛି। ଗବେଷକମାନେ ଜଳବାୟୁ ପୂର୍ବାନୁମାନ ଏବଂ ପ୍ରଜାତିଗୁଡ଼ିକର ତଥ୍ୟ ଅନୁଧ୍ୟାନ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି, ଯଦି ଶତାବ୍ଦୀର ଶେଷଭାଗ ଆଡ଼କୁ ତାପମାତ୍ରା କମିବାକୁ ଆରମ୍ଭ କରେ, ତେବେ ସ୍ଥଳଭାଗରେ ରହୁଥିବା ପ୍ରାଣୀ ବାସସ୍ଥାନର ମାତ୍ର ୯ ପ୍ରତିଶତ ୨୦୮୫ ବେଳକୁ ଚରମ ଜଳବାୟୁ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଆଶା କରାଯାଉଛି। ଗବେଷଣାର ନେତୃତ୍ୱ ନେଉଥିବା ଷ୍ଟିଭାଡ଼ି ହେଇନିକ୍‌ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିଶେଷ କରି ଚରମ ପାଣିପାଗ (ଅତ୍ୟଧିକ ବନ୍ୟା, ମରୁଡ଼ି, ଗ୍ରୀଷ୍ମପ୍ରବାହ ଇତ୍ୟାଦି) ସଂରକ୍ଷଣ ଯୋଜନାରେ ଏବେ ବି ଅବହେଳା ହେଉଛି। ଏହା କେବଳ ବହୁ ବର୍ଷ ଧରି ତାପମାତ୍ରା କ୍ରମାଗତ ପରିବର୍ତ୍ତନ ନୁହେଁ। ବିଭିନ୍ନ ଚରମ ପାଣିପାଗର ମିଳିତ ପ୍ରଭାବ ଜୈବ ବିବିଧତା ପ୍ରତି ମିଳିତ ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily