Categories: ଜାତୀୟ

ଅଖିଳେଶ ଚାହିଁଲେ ୧୫ ଦିନରେ କ୍ଷମତାଚ୍ୟୁତ ହେବେ ଯୋଗୀ ସରକାର, ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ, ନାରଦଙ୍କ ଦାବି…

ଲକ୍ଷ୍ନୌ,୨୩।୮ : ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ନାରଦ ରାୟ କହିଛନ୍ତି ଯେ ଯେଉଁ ଦିନ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ୧୫ଦିନ ମଧ୍ୟରେ କ୍ଷମତାଚ୍ୟୁତ ହେବେ। ଯୋଗୀଙ୍କ ଉପରେ ୧୫୦ରୁ ଅଧିକ ଭାଜପା ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି ବୋଲି ସେ ଦାବି କରିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନାରଦ ରାୟ କହିଛନ୍ତି ଯେ ଯୋଗୀଙ୍କ ସରକାର ଆଉ ଚାଲିବ ନାହିଁ। ଖୁବ୍‌ ଶୀଘ୍ର ଏହାର ପତନ ହେବାକୁ ଯାଉଛି।

ସେ କହିଛନ୍ତି ଆପଣ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ଉପରୁ ଭଲ ବୋଲି ଦେଖୁଛନ୍ତି। କିନ୍ତୁ ତାଙ୍କ ମନରେ ବହୁ ଦୁଃଖ ରହିଛି। ଯେଉଁ ଦିନ ତାଙ୍କୁ ଭାଜପା ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଥିଲା ସେହି ଦିନ ସେ ନୀତିନ ଗଡକରୀଙ୍କୁ ଭେଟିଥିଲେ। ଭାଜପା ନିଜେ ଏହାର ସଦସ୍ୟଙ୍କୁ ଏଭଳି ଆଘାତ ଦେଇଛି। ତେଣୁ ରାଜ୍ୟରେ ଯୋଗୀ ସରକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ରାଜ୍ୟରେ ଭାଜପା ସରକାର ଅଳ୍ପ ଦିନ ଚାଲିବ ବୋଲି ନାରଦ ମତ ପ୍ରକାଶ କରିଛନ୍ତି।

ଯୋଗୀ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ କୌଣସି ଭାଜପା ନେତା ତାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ନାରଦ ଦାବି କରିଛନ୍ତି। ୫୦ କୋଟି ଲାଞ୍ଚ ନେଇ ଆରଟିଓ ପୋଷ୍ଟିଂ କରାଯାଉଛି । ଯେତେବେଳେ ସରକାରଙ୍କ ଏଭଳି ଅବସ୍ଥା ଆସେ ସେତେବେଳେ ଆଉ ରାଜ୍ୟରେ ସରକାରଙ୍କ ଶେଷ ହେବାର ଦିନ ପାଖେଇ ଆସିଥାଏ। କେବଳ ଅଖିଳେଶ ଯାଦବ ତାଙ୍କ ନିଷ୍ପତ୍ତି ନେବା ଆବଶ୍ୟକ। ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମାଜବାଦୀ ପାର୍ଟି ଏକ ସଦସ୍ୟତା ଅଭିଯାନ ଚଳାଉଛି। ନାରଦଙ୍କୁ ଏହାର ଜିଲା ଦାୟିତ୍ୱ ଦିଆଯାଇଛି। ସେ ଚାନ୍ଦୁଲି ଗସ୍ତରେ ଯାଇ ଏହି କଥା କହିଥିଲେ।

Share