Categories: ଜାତୀୟ

ଏଏପି ପାଖରେ ଯଦି ଅଫର ରେକର୍ଡିଂ ଅଛି ତେବେ ଭାଜପାର ପର୍ଦ୍ଦାଫାଶ୍‌ କରାଯାଉ, କହିଲା ଏନସିପି…

ନୂଆଦିଲ୍ଲୀ, ୨୩।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଅଫରକୁ ନେଇ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଜାରି ରହିଛି। ମଙ୍ଗଳବାର ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି କହିଛି ଯେ, ଯଦି ଏଏପି ପାଖରେ ଏହି ଅଫର ରେକର୍ଡିଂ ରହିଛି ତେବେ ଏହାକୁ ଜାରି କରି ଭାଜପାର ପର୍ଦ୍ଦାଫାଶ୍‌ କରାଯାଉ।

ସିସୋଡିଆ ଦାବି କରିଥିଲେ ଯେ ଭାଜପା ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛି। ଯଦି ସେ ଭାଜପାରେ ଯୋଗ ଦିଅନ୍ତି ତେବେ ତାଙ୍କ ବିରୋଧରେ ଥିବା ଇଡି ଏବଂ ସିବିଆଇର ସମସ୍ତ ମାମଲା ବନ୍ଦ ହୋଇଯିବ।

ଏନସିପି ମୁଖପାତ୍ର କ୍ଲାଇଡ କ୍ରେଷ୍ଟୋ କହିଛନ୍ତି ଭାଜପାର ଏଭଳି ପ୍ରସ୍ତାବର ଦାବି ଯଦି ସତ ହୁଏ ତେବେ ଏହା ଆଗାମୀ ଦିନରେ ଭାରତର ଗଣତନ୍ତ୍ର ପାଇଁ ବିପଦଜନକ ସାବ୍ୟସ୍ତ ହେବ। କ୍ରେଷ୍ଟୋ କହିଛନ୍ତି ମହାରାଷ୍ଟ୍ରର ବିଧାୟକଙ୍କ ସହ ମଧ୍ୟ ସମାନ ଅଫର ଉପରେ ଆଲୋଚନା କରାଯାଇଥିଲା। ଶେଷରେ ମହାରାଷ୍ଟ୍ର ବିକାଶ ଅଘାଡି ସରକାର କ୍ଷମତାଚ୍ୟୁତ ହୋଇଥିଲେ।

ସିସୋଡିଆ ସୋମବାର ଅଭିଯୋଗ କରିଥିଲେ ତାଙ୍କୁ ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବାକୁ ଭାଜପା ତରଫରୁ ଏକ ଅଫର ଆସିଛି। ଅପରପକ୍ଷରେ ଭାଜପା ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲା। ଭାଜପା ଜବାବ ଦେଇଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପ୍ରମୁଖ ସହାୟକ ସିସୋଡିଆ ନିଜ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରୁ ଦୃଷ୍ଟି ହଟାଇବା ଲାଗି ଭାଜପା ବିରୋଧରେ ଏଭଳି ଅଭିଯୋଗ ଆଣି ସିବିଆଇ ଚଢ଼ାଉର ପ୍ରତିଶୋଧ ନେଉଛି।

Share