ନୂଆଦିଲ୍ଲୀ, ୫।୮: ରାଶନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। କେନ୍ଦ୍ର ସରକାର ରାଶନ କାର୍ଡ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ରାଶନ କାର୍ଡ ଧାରୀଙ୍କୁ ପ୍ରତି ୫ ବର୍ଷରେ ଇ-କେୱାଇସି (e-KYC) କରିବା ବାଧ୍ୟତାମୂଳକ। ଯଦି ଏହି କାମ ନ କରାଯାଏ, ତେବେ ରାଶନ କାର୍ଡ ସସ୍ପେଣ୍ଡ ହୋଇପାରେ ଏବଂ ମାଗଣା ଚାଉଳ କି ଗହମ ମିଳିବ ନାହିଁ। ସରକାରଙ୍କ କହିବା ଅନୁଯାୟୀ, ଏହି ନିୟମ ରାଶନ ବ୍ୟବସ୍ଥାରେ ସୱଚ୍ଛତା ଆଣିବା ଏବଂ ନକଲି କାର୍ଡ ଓ ଜାଲିଆତି ରୋକିବା ପାଇଁ ଲାଗୁ କରାଯାଇଛି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ରାଜ୍ୟକୁ ୩ ମାସ ମଧ୍ୟରେ ସମସ୍ତ ରାଶନ କାର୍ଡ ଧାରୀଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଏହା ଦ୍ୱାରା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦିଆଯିବ ଏବଂ ଯୋଗ୍ୟ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟର ଲାଭ ମିଳିବ। ଏହା ସହିତ, ଯଦି କୌଣସି ବ୍ୟକ୍ତି ୬ ମାସ ପାଇଁ ରାସନ ନେଇ ନଥାନ୍ତି, ତେବେ ତାଙ୍କ କାର୍ଡ ସାମୟିକ ଭାବେ ସସ୍ପେଣ୍ଡ ହୋଇପାରେ। ତେବେ, ଉପଯୁକ୍ତ ଡକ୍ୟୁମେଣ୍ଟ ଜମା କଲେ ଏହା ପୁନଃସକ୍ରିୟ କରାଯାଇପାରିବ।
ନୂଆ ନିୟମ ଅନୁସାରେ, ୧୮ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ରାଶନ କାର୍ଡ ମିଳିବ ନାହିଁ। ୫ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ ଆଧାର କାର୍ଡ ଜମା କରିବା ଆବଶ୍ୟକ, ଏବଂ ୫ ବର୍ଷ ପୂର୍ଣ୍ଣ ହେବା ପରେ ଏକ ବର୍ଷ ମଧ୍ୟରେ ତାଙ୍କର ଇ-କେୱାଇସି କରାଯିବା ଜରୁରୀ। ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ରାଜ୍ୟରେ ରାସନ କାର୍ଡ ରହିଛି, ତେବେ ଯାଞ୍ଚ ପରେ ଗୋଟିଏ କାର୍ଡ ରଦ୍ଦ କରାଯିବ।
ଇ-କେୱାଇସି ପାଇଁ ରାସନ କାର୍ଡ ଧାରୀଙ୍କୁ ୩ ମାସର ସମୟ ଦିଆଯାଇଛି। ଏହା ଅନଲାଇନ ଓ ଅଫଲାଇନ ଦୁଇଟି ଉପାୟରେ କରାଯାଇପାରିବ। ଅଫଲାଇନରେ, ନିକଟସ୍ଥ ରାସନ ଡିଲର କିମ୍ବା ପବ୍ଲିକ ସର୍ଭିସ ସେଣ୍ଟରକୁ ଆଧାର କାର୍ଡ ସହ ଯାଇ ବାୟୋମେଟ୍ରିକ ଯାଞ୍ଚ ମାଧ୍ୟମରେ ଇ-କେୱାଇସି କରାଯାଇପାରିବ। ଅନଲାଇନରେ, ରାଜ୍ୟର ଅଫିସିଆଲ ରାସନ ବିଭାଗ ୱେବସାଇଟରେ ରାସନ କାର୍ଡ ଓ ଆଧାର ନମ୍ବର ଦେଇ ଓଟିପି ମାଧ୍ୟମରେ ଏହା ସମ୍ପୂର୍ଣ୍ଣ କରାଯାଇପାରିବ। ଏହା ସହିତ, ମେରା ଇ-କେୱାଇସି ଆପ ମାଧ୍ୟମରେ ମଧ୍ୟ ଘରେ ବସି ଏହି ପ୍ରକ୍ରିୟା କରାଯାଇପାରିବ।
ମୋଦୀ ସରକାର ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (PDS) ଅଧୀନରେ ମାଗଣା ଖାଦ୍ୟଶସ୍ୟ ଯୋଜନାକୁ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଯାହା ଅଧୀନରେ ଦେଶର ପ୍ରାୟ ୮୦ କୋଟି ଲୋକ ଲାଭ ପାଉଛନ୍ତି। ତେଣୁ, ରାସନ କାର୍ଡ ଧାରୀଙ୍କୁ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଉଛି, ନଚେତ୍ ମାଗଣା ରାସନ ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ହେବାର ଆଶଙ୍କା ରହିଛି।


