Categories: ଜାତୀୟ

ବାଲିବସ୍ତାରେ ଆଇଇଡି: ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ ଷଡ଼ଯନ୍ତ୍ର

ଶ୍ରୀନଗର, ୧୦।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ରଚାଯାଇଥିବା ଏକ ବିସ୍ଫୋରଣ ଘଟଣାକୁ ଏଡ଼ାଇ ଦିଆଯାଇଛି। ଫଳରେ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତର କଶ୍ମୀରର ବାରମୁଳା ଜିଲାର ଡାଙ୍ଗିଓ୍ବାଚା ଅଞ୍ଚଳର ଚତଲୋରାଠାରେ ବାଲିବସ୍ତାରେ ଥିବା ଆଇଇଡିକୁ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ନିଷ୍କ୍ରିୟ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଆଇଇଡି ପ୍ଲାଣ୍ଟ୍‌ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଇଇଡି ଚିହ୍ନଟ ହେବା ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗତ ୪ ଦିନ ମଧ୍ୟରେ ଉତ୍ତର କଶ୍ମୀରରୁ ଦ୍ୱିତୀୟ ଥର ପାଇଁ ଆଇଇଡି ମିଳିଛି। ଏଭଳି ଏକ ଆଇଇଡି ସୋମବାର କୁପଓ୍ବାରା ଜିଲାର ଦୁର୍ଗମୁଳା ଅଞ୍ଚଳରୁ ମିଳିଥିଲା। ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଦଳର କ୍ଷତି ଘଟାଇବା ଲାଗି ଯୋଜନାବଦ୍ଧ ଭାବେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share