୭ ଦଫା ଦାବିରେ ଏଆର୍‌ସିଏସ୍‌ ଅଫିସ ସମ୍ମୁଖରେ ଧାରଣା

ଜଗତ୍‌ସିଂହପୁର ଅଫିସ,୨୧।୫: କଟରାସ୍ଥିତ ସନ୍ଥ ବିନୋବା ସେବା ସମବାୟ ଲିମିଟେଡ୍‌ର ଆକାଉଣ୍ଟ ହୋଲ୍‌ଡରମାନେ ୭ ଦଫା ଦାବିରେ ସ୍ଥାନୀୟ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ସମ୍ପର୍କରେ ସୁଶାନ୍ତ କୁମାର ପଲେଇ, ରାଜେନ୍ଦ୍ର ବିଶ୍ୱାଳ, ଅଜୟ ବିଶ୍ୱାଳ ଓ ପ୍ରଭଞ୍ଜନ ବିଶ୍ୱାଳ ପ୍ରମୁଖ କହିଛନ୍ତି, ସମିତିର ଆକାଉଣ୍ଟ ହୋଲ୍‌ଡରମାନଙ୍କ ନାଁରେ ପୂର୍ବରୁ ଜାଲିଆତି କରାଯାଇ ଟଙ୍କା ଉଠାଯାଇଛି। ଏହା ଉପରେ ତଦନ୍ତ ଚାଲିଛି। ଏଥିଯୋଗୁ ଆକାଉଣ୍ଟ ହୋଲ୍‌ଡରମାନେ ସେମାନଙ୍କ ଜମା ଥିବା ରାଶି ଉଠାଇ ପାରୁନାହାନ୍ତି। ଏହା ଦ୍ୱାରା ଜମାକାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସୋସାଇଟି ଆକ୍ଟର ୬୫ ଧାରା ଅନୁଯାୟୀ ତଦନ୍ତ ନ ହେଲେ ମଧ୍ୟ ପ୍ରାପ୍ୟ ପ୍ରଦାନ କରାଯାଉ। ଆର୍‌ଆଇଡି ବଣ୍ଡ ଅବଧି ପୂର୍ବରୁ ଜମାକାରୀ ଅର୍ଥ ନେବା ପାଇଁ ବ୍ୟବସ୍ଥା ହେଉ। ହଡ଼ପ ହୋଇଥିବା ପ୍ରାପ୍ୟ ମିଳିଲେ ୩୦% ଜମା ଖାତାରେ ରଖାଯାଉ। ସୁଧ ରାଶି ଜମାଖାତାରେ ଉଲ୍ଲେଖ ରହୁ। କେଉଁ ଧାରାରେ ପଇସା ଦିଆଯାଇଛି ତା’ର କ୍ରମିକ ନମ୍ବର ଜମାକାରୀଙ୍କୁ ଅବଗତ କରାଯାଉ। ଜମାକାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ବିଚାରବିମର୍ଶ ପାଇଁ ସଂଶ୍ଳୀଷ୍ଟ କରା ନ ଯାଉ ବୋଲି ଦାବି ହୋଇଛି।