ଆଦର୍ଶ ବିବାହ: ଭିନ୍ନକ୍ଷମ ଅଲେଖଙ୍କ ଆଖି ହେବେ ଦମୟନ୍ତୀ

କେନ୍ଦ୍ରାପଡ଼ା, ୨୨ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଚକ ରଘୁନାଥପୁର ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବକ ଅଲେଖ ଚନ୍ଦ୍ର ଜେନାଙ୍କ ସହିତ ସହରର ଅଯୋଦ୍ଧାନଗରସ୍ଥିତ ଆଂଶିକ ଭିନ୍ନକ୍ଷମ ଯୁବତୀ ଦମୟନ୍ତୀ ନାୟକଙ୍କ ସୋମବାର ବିବାହ ହୋଇଛି। ଜିଲା ସାମାଜିକ ସୁରକ୍ଷା ବିଭାଗ ପ୍ରୋତ୍ସାହନରେ ହୋଇଥିବା ଏହି ବିବାହ ସହରର ଗୋପସ୍ଥିତ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଏହି ବିବାହରେ ଖୁସି ହୋଇ ଦମୟନ୍ତୀ କହିଛନ୍ତି, ଜୀବନ ସାରା ଅଲେଖଙ୍କ ଆଖି ଭାବେ ସାଥୀ ହୋଇ ରହିବେ। ଆଗାମୀ ଚଲାପଥ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ସେ କହିଛନ୍ତି। ସେହିପରି ଅଲେଖ କହିଛନ୍ତି, ଜିଲା ପ୍ରଶାସନର ପ୍ରୋତ୍ସାହନ ଆମକୁ ଏକାଠି କରିଛି। ଏହାସହ ଆଗାମୀ ଜୀବନ ସୁଖମୟ ହେବ ବୋଲି ସେ ଆଶା କରିଛନ୍ତି। ଏ ସମ୍ପର୍କରେ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବପ୍ନାଂଶୁ କୁମାର ଦାସ କହିଛନ୍ତି, ଅଲେଖ ଏହି ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ପରେ ଏଠାରେ ରହି ବିଦ୍ୟାଳୟ କାର୍ଯ୍ୟରେ ସହଯୋଗ କରୁଛନ୍ତି। ସେ ଜଣେ କର୍ମଠ ଯୁବକ। ଦମୟନ୍ତୀଙ୍କ ସହ ବିବାହ ପରେ ଉଭୟେ ଏକ ଫିନାଇଲ ଓ ଧୂପ ବ୍ୟବସାୟ ପାଇଁ ମନ ବଳାଇଛନ୍ତି। ଏଥିପାଇଁ ସେମାନେ ତାଲିମ ନେଇଥିବା ପ୍ରଧାନ ଶିକ୍ଷକ ଦାସ ସୂଚନା ଦେଇଛନ୍ତି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ କହିଛନ୍ତି, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିବାହ ପାଇଁ ସହଜରେ କନ୍ୟା କିମ୍ବା ବର ମିଳନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଜନା କରିଛନ୍ତି। ଏହି ଯୋଜନାରେ ଦମ୍ପତିଙ୍କୁ ୨.୫ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଅଲେଖ ଓ ଦମୟନ୍ତୀ ଏହି ପ୍ରୋତ୍ସାହନ ରାଶି ପାଇବାକୁ ହକ୍‌ଦାର ଥିବାବେଳେ ରୋଜଗାର ପାଇଁ ଏକ ପ୍ରକଳ୍ପ ଯୋଜନା ରଖିଛନ୍ତି।