ଓ୍ବାଶିଂଟନ୍, ୧୪।୩: ଆମେରିକୀୟ ଅନ୍ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍ଲି ପକ୍ଷରୁ ଗୁରୁବାର ‘ରେମିଟ୍ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ସର୍ବୋତ୍ତମ ଦେଶଗୁଡ଼ିକର ତାଲିକାରେ ଆଇସ୍ଲାଣ୍ଡ ସର୍ବାଗ୍ରେ ରହିଛି। ଭାରତ ଏହି ସୂଚକାଙ୍କର ୭୫ତମ ସ୍ଥାନରେ ରହିଛି। ୮୨ଟି ଦେଶରେ ଆପ୍ରବାସୀଙ୍କୁ ମିଳୁଥିବା ବିଭିନ୍ନ ପ୍ରକାରର ସୁବିଧାକୁ ମୂଲ୍ୟାଙ୍କନ କରାଯାଇ ଏହି ସୂଚକାଙ୍କକୁ ପ୍ରସ୍ତୁତ କରାଯାଇଛି। ଖାସ୍କରି ବିଭିନ୍ନ ଦେଶରେ ଆପ୍ରବାସୀମାନଙ୍କ ପାଇଁ ମିଳୁଥିବା ସାର୍ବଜନୀନ ପରିବହନ ସେବା, ସ୍ବାସ୍ଥ୍ୟ ସେବା, ନିଯୁକ୍ତି ସୁଯୋଗ, ଜୀବନ ଧାରଣର ଖର୍ଚ୍ଚ, ଖୁସି, ଆପ୍ରବାସୀ ସମ୍ପ୍ରଦାୟର ସ୍ଥିତି ଆଦି ବିଭିନ୍ନ ଦିଗକୁ ମୂଲ୍ୟାଙ୍କନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି।
ରେମିଟ୍ଲି ପକ୍ଷରୁ ଜାରି ଏହି ସୂଚକାଙ୍କରେ ପ୍ରତ୍ୟେକ ଦେଶରେ ଆପ୍ରବାସୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧାକୁ ଆଧାର କରି ସମୁଦାୟ ୧୦୦ ନମ୍ବରରୁ ଭିନ୍ନ ଭିନ୍ନ ସ୍କୋର୍ ଦିଆଯାଇଛି। ୫୮.୪ ସ୍କୋର୍ ସହ ଉତ୍ତର ଆଟ୍ଲାଣ୍ଟିକ୍ ଦ୍ୱୀପ ଆଇସ୍ଲାଣ୍ଡ ଏହି ସୂଚକାଙ୍କର ସର୍ବାଗ୍ରେ ରହିଛି।
ରେମିଟ୍ଲି ପକ୍ଷରୁ କୁହାଯାଇଛି, ଆଇସ୍ଲାଣ୍ଡରେ ଆପ୍ରବାସୀମାନଙ୍କ ପାଇଁ ରହିଥିବା ବ୍ୟାଙ୍କିଂ ସୁବିଧା, ସେମାନଙ୍କ ଖୁସିର ସ୍ତର, ସଂଯୋଗୀକରଣ ଏବଂ ସୁରକ୍ଷା ସ୍ତର ଆଦି ସୁବିଧା ଉଚ୍ଚକୋଟୀର ରହିଛି। ସେହିପରି ଆଇସ୍ଲାଣ୍ଡ ଏହାର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟ ଯୋଗୁ ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ଅଧିକ ସଂଖ୍ୟାରେ ଅନ୍ୟ ଦେଶର ଲୋକଙ୍କୁ ଆକୃଷ୍ଟ କରିବ। ସେହିପରି ସାରା ବିଶ୍ୱରେ ଆପ୍ରବାସୀ ଶ୍ରମିକଙ୍କୁ ସବୁଠାରୁ ଅଧିକ ସର୍ବନିମ୍ନ ମଜୁରି ହାର ଏବଂ ବାର୍ଷିକ ଦରମା ପ୍ରଦାନ କରୁଥିବା ଦେଶ ଆଇସ୍ଲାଣ୍ଡ ହୋଇଥିବା ନେଇ ଏହି ରିପୋର୍ଟ କହିଛି। ୫୫.୮ ସ୍କୋର୍ ସହ ସୁଇଜରଲାଣ୍ଡ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୫୫.୭ ସ୍କୋର୍ ସହ ଲକ୍ସମବର୍ଗ ତୃତୀୟ ସ୍ଥାନରେ ରହିଛି। ୩୦.୫ ସ୍କୋର୍ ସହ ଭାରତ ୭୫ତମ ସ୍ଥାନରେ ରହିଥିବା ବେଳେ ପଡ଼ୋଶୀ ପାକିସ୍ତାନ ୩୦.୯ ସ୍କୋର୍ ସହ ୭୨ତମ ସ୍ଥାନରେ ରହିଛି।


