Categories: ଖେଳ

ଆଇସିସି ବିଶ୍ୱକପ ୨୦୨୩: ନେଦରଲାଣ୍ଡ୍ସକୁ ହରାଇଲା ପାକିସ୍ତାନ

ହାଇଦ୍ରାବାଦ, ୬।୧୦-ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୮୧ ରନରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ୪୯ ଓଭରରେ ୨୮୬ ରନକରି ଅଲ୍‌ଆଉଟ ହୋଇ ଯାଇଥିବାବେଳେ ନେଦରଲାଣ୍ଡ୍ସ ଇନିଂସ ୪୧ ଓଭରରେ ୨୦୫ରେ ସୀମିତ ରହିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଓପନର ବିକ୍ରମଜିତ ସିଂ (୫୨ ରନ, ୪ ଚୌକା, ୧ ଛକା) ଓ ମିଡିଲ ଅର୍ଡର ବ୍ୟାଟର ବାସ୍‌ ଡି ଲିଡ୍‌ (୬୭ ରନ, ୬ ଚୌକା, ୨ ଛକା)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟରମାନେ ପାକିସ୍ତାନ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଶେଷ ଭାଗରେ ଲୋଗାନ ଭାନ୍‌ ବିକ୍‌ ୨୮ ରନକରି ଅପରାଜିତ ରହିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ସର୍ବାଧିକ ୩ଟି ଓ ହାସଲ ଅଲୀ ୨ଟି ଉଇକେଟ ନେଇଥିଲେ।
ଟସ୍‌ ଜିତି ନେଦରଲାଣ୍ଡ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ୩୮ ରନ ମଧ୍ୟରେ ୩ଟି ଉଇକେଟ ହରାଇ ଶକ୍ତ ଝଟ୍‌କା ଖାଇଥିଲା। ମାତ୍ର ମହମ୍ମଦ ରିଜଓ୍ବାନ ଓ ସଉଦ ଶକିଲ ୪ର୍ଥ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଉଭୟ ୧୨୦ ରନ ଯୋଗ କରିବାପରେ ଶକିଲ ୬୮ ରନକରି ଆଉଟ ହୋଇଥିଲେ। ରିଜଓ୍ବାନ ମଧ୍ୟ ସେହି ୬୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ମହମ୍ମଦ ନଓ୍ବାଜ ୩୯, ଶଦାବ ଖାଁ ୩୨ ରନ କରିବାରୁ ପାକିସ୍ତାନ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ବାସ୍‌ ଡି ଲିଡ୍‌ ସର୍ବାଧିକ ୪ଟି, କଲିନ ଆକରମାନ ୨ଟି ଏବଂ ଆର୍ଯ୍ୟନ ଦତ୍ତ, ଲୋଗାନ ଭାନ୍‌ ବେକ୍‌ ଓ ପଲ୍‌ ଭାନ୍‌ ମିକେରେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share