Categories: ଖେଳ

ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ୧୪ ଦଳ

ନୂଆଦିଲ୍ଲୀ, ୧।୬: ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ୱକପ୍‌ରେ ୧୪ ଦଳକୁ ସାମିଲ କରାଯିବ। ଏ ନେଇ ଅନ୍ତର୍ଜାତୀୟକ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଆଇସିସି ବୋର୍ଡ ମିଟିଂ ପରେ ପ୍ରକାଶ ପାଇଛି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ବିଶ୍ୱ ସ୍ତରୀୟ ଇଭେଣ୍ଟର କାର୍ଯ୍ୟସୂଚୀ। ପରବର୍ତ୍ତୀ ୨୦୨୪ରୁ ୨୦୩୦ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ୨୦ ଦଳ ଭାଗନେବେ। ଏଣୁ ପ୍ରତ୍ୟେକ ଇଭେଣ୍ଟରେ ମ୍ୟାଚ୍‌ ସଂଖ୍ୟା ୫୫କୁ ବୃଦ୍ଧି ପାଇବ। ୮ଟି ଦଳକୁ ନେଇ ଖେଳାଯାଉଥିବା ମିନି ବିଶ୍ୱକପ୍‌ ଭାବେ ଜଣାଶୁଣା ଚାମ୍ପିୟନ୍ସ ଟ୍ରଫି ୨୦୨୫ ଓ ୨୦୨୯ରେ ଖେଳାଯିବ।

୨୦୨୭ ବିଶ୍ୱକପ୍‌ରେ ୧୪ ଦଳକୁ ସାମିଲ କରାଯିବା ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ ଆଇସିସି ବୋର୍ଡ ମିଟିଂରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ଦ୍ରୁତ ଗତିରେ କ୍ରିକେଟର ପ୍ରସାର ହୋଇପାରିବ। ୧୦ ଦଳ ବିଶିଷ୍ଟ ଫର୍ମାଟ ସଫଳ ଥିଲେ ହେଁ ଏହି କ୍ରିକେଟର ପ୍ରସାର ଉଦ୍ଧେଶ୍ୟ ପୂରଣ କରି ନ ଥିଲା ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ଅନ୍ତିମ ଥର ୨୦୦୭ ବିଶ୍ୱକପ୍‌ରେ ୧୪ ଦଳ ଭାଗନେଇଥିଲେ। ସମାନ ଫର୍ମାଟରେ ଖେଳାଯାଇଥିଲା ୧୯୯୯ ଓ ୨୦୦୩ ସଂସ୍କରଣ। କିନ୍ତୁ ୨୦୦୭ରେ ଭାରତ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ପରେ ୧୪ ଦିଳ ବିଶିଷ୍ଟ ଫର୍ମାଟକୁ ରୋକି ଦିଆଯାଇଥିଲା। କ୍ୱାର୍ଟର ଫାଇନାଲ ଭିତ୍ତିରେ ଖେଳାଯାଇଥିଲା ୨୦୧୧ ଓ ୨୦୧୫ ବିଶ୍ୱକପ୍‌। ୨୦୧୯ ସଂସ୍କରଣରେ ମାତ୍ର ୧୦ ଦଳ ଭାଗ ନେଇଥିଲେ।

Share