Categories: ଖେଳ

କ୍ଷତି ସହିଲେ କୋହଲି

ନୂଆଦିଲ୍ଲୀ,୨୨।୧୨: ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଦୁଇଟି ଝଟକା ଲାଗିଛି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମେ ସେ ଆଡିଲେଡରେ ଆଶେସ ସିରିଜର କ୍ରମାଗତ ଦ୍ୱିତୀୟ ଟେଷ୍ଟରେ ହାରିଛି। ଏବେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ସେ ପ୍ରଥମ ସ୍ଥାନରୁ ତଳକୁ ଖସିଛନ୍ତି। ତାଙ୍କ ସ୍ଥାନରେ ଆଶେସ ସିରିଜରେ ଚମତ୍କାର ବ୍ୟାଟିଂ କରିଥିବା ମାର୍ନୁସ ଲାବୁସେନ୍‌ ଟେଷ୍ଟରେ ନମ୍ବର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୯୧୨ର କ୍ୟାରିୟରର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହିତ ଲାବୁସେନ୍‌ ପ୍ରଥମ ଥର ପାଇଁ ଟେଷ୍ଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ସେ ଜୋ ରୁଟ (୮୯୭) କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ରୁଟ୍‌ଙ୍କ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ଶୂନ ରନ କରି ଆଉଟ ହୋଇଥିଲେ। ଫଳରେ ସର୍ବଶେଷ ଟେଷ୍ଟ ର଼୍ୟାଙ୍କିଙ୍ଗରେ ସେ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି। ଏଥି ସହିତ ରୋହିତ ଶର୍ମା ଟପ- ୫ ରେ ରହିଛନ୍ତି। ଏହି ଦୁଇଟି ବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଟପ -୧୦ରେ ନାହାଁନ୍ତି।
ବୋଲରଙ୍କ ର଼୍ୟାଙ୍କିଙ୍ଗରେ ଅଧିକ ପରିବର୍ତ୍ତନ ହୋଇନାହିଁ। ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ଏବେ ବି ଟେଷ୍ଟରେ ନମ୍ବର ୧ ବୋଲର ଅଟନ୍ତି। ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Share