ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ୱିକେଟ୍କିପର ବ୍ୟାଟର ଋଷଭ ପନ୍ତ ଓ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟପ୍-୧୦ରେ ରହିଛନ୍ତି । ତେବେ ଟପ୍-୫ରେ କୌଣସି ଭାରତୀୟ ବ୍ୟାଟର ସ୍ଥାନ ପାଇନାହାନ୍ତି।
ସଦ୍ୟତମ ରାଙ୍କିଂ ଅନୁଯାୟୀ, ୭୧୩ ରେଟିଂ ପଏଣ୍ଟ ସହ ଋଷଭ ପନ୍ତ ଅଷ୍ଟମ ଏବଂ ୬୯୭ ପଏଣ୍ଟ ସହ ଶୁଭମନ ଗିଲ୍ ଦଶମ ସ୍ଥାନରେ ରହିଛନ୍ତି। ଉଭୟ ଖେଳାଳି ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସିଛନ୍ତି। ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ୧୩ତମ ସ୍ଥାନରେ ଅଛନ୍ତି।ଟେଷ୍ଟ ବ୍ୟାଟର ରାଙ୍କିଂର ପ୍ରଥମ ଦୁଇଟି ସ୍ଥାନରେ ଇଂଲଣ୍ଡର ହ୍ୟାରି ବ୍ରୁକ୍ ଓ ଜୋ ରୁଟ୍ ରହିଛନ୍ତି। ଏହା ପରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍, ଦକ୍ଷିଣ ଆଫ୍ରିକାର ଟେମ୍ବା ବାଭୁମା ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଯଥାକ୍ରମେ ସ୍ଥାନ ପାଇଛନ୍ତି।
ଆଫଗାନିସ୍ତାନର ଅଧିନାୟକ ରାହମତ ଶାହ ଆଇସିସି ଟେଷ୍ଟ ରାଙ୍କିଂର ଯେକୌଣସି ବିଭାଗର ଟପ୍-୧୦ରେ ସ୍ଥାନ ପାଇବାରେ ଦେଶର ପ୍ରଥମ ଖେଳାଳି ହୋଇଛନ୍ତି । ଶାରଜାହାରେ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ୧୭୩ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ଏହାର ଫଳସ୍ୱରୂପ ସେ ୬ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଂ। ୩୩ ବର୍ଷୀୟ ରାହମତ ଏହି ଇନିଂସ ବଳରେ ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ଓ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ଙ୍କୁ ପଛରେ ପକାଇଛନ୍ତି।
ଟେଷ୍ଟ ବୋଲରଙ୍କ ରାଙ୍କିଂରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପଞ୍ଚମ ସ୍ଥାନରେ ନିଜ ସ୍ଥିତି ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ, ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରୀ ଓ ଇଂଲଣ୍ଡର ଓଲି ରବିନ୍ସନ ଟପ୍-୫ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିପରି ଟେଷ୍ଟ ଅଲରାଉଣ୍ଡର ରାଙ୍କିଂରେ ମାର୍କୋ ୟାନସେନଙ୍କ ପରେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟ ଭାରତୀୟ ଖେଳାଳି ଭାବେ ୱାଶିଂଟନ ସୁନ୍ଦର ଟପ୍-୧୦ରେ ସ୍ଥାନ ପାଇଛନ୍ତି। ସେ ସପ୍ତମ ସ୍ଥାନରେ ଅଛନ୍ତି।