ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ସ୍ଲୋ ଓଭର ରେଟ ପାଇଁ ଉଭୟ ଦଳକୁ ଜରିମାନା କରାଯାଇଛି। ତେବେ ଦୁଇ ଦଳ ଉପରେ ଲାଗିଥିବା ଜରିମାନାର ପରିମାଣ ଭିନ୍ନ ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଶନିବାର ନ୍ୟୁ ଚଣ୍ଡୀଗଡ଼ର ମୁଲ୍ଲାନପୁରରେ ଖେଳାଯାଇଥିଲା। ମ୍ୟାଚ ନିର୍ଦ୍ଧାରିତ ସମୟଠାରୁ ବେଶ ବିଳମ୍ବରେ ଶେଷ ହୋଇଥିଲା।
ମ୍ୟାଚ୍ରେ ଭାରତ ଦ୍ୱିତୀୟ ଇନିଂସ୍ରେ ବୋଲିଂ କରୁଥିବା ସମୟରେ ସ୍ଲୋ ଓଭର ରେଟକୁ ନେଇ ଭାରତୀୟ ଅଧିନାୟକ ଶୁବମନ ଗିଲ୍ଙ୍କୁ ମୈଦାନୀ ଅମ୍ପାୟର ଏକାଧିକ ଥର ସତର୍କ କରିଥିଲେ। ତଥାପି ଓଭର ରେଟ୍ରେ ସୁଧାର ଆସି ନ ଥିଲା। ICCର ନିଷ୍ପତ୍ତି ଅନୁଯାୟୀ, ଭାରତ ଉପରେ ମ୍ୟାଚ ଫି’ର ୨୦ ପ୍ରତିଶତ ଏବଂ ୱେଷ୍ଟଇଣ୍ଡିଜ ଉପରେ ୧୦ ପ୍ରତିଶତ ଜରିମାନା ଲାଗିଛି। ICC ପକ୍ଷରୁ କୁହାଯାଇଛି ଯେ, ସମୟରେ ମିଳିଥିବା ଛାଡ଼କୁ ହିସାବକୁ ନେବା ପରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରୁ ୨ ଓଭର କମ ବୋଲିଂ କରିଥିଲା। ସେହିପରି ଭାରତ ବୋଲିଂ କରିବା ସମୟରେ ନିର୍ଦ୍ଧାରିତ ଓଭର ରେଟ୍ଠାରୁ ୪ ଓଭର ପଛରେ ରହିଥିଲା। ICC କୋଡ ଅଫ କଣ୍ଡକ୍ଟ ଫର୍ ପ୍ଲେୟର୍ସ ଆଣ୍ଡ ପ୍ଲେୟର୍ ସପୋର୍ଟ ଷ୍ଟାଫ୍ ଆର୍ଟିକଲ ୨.୨୨ ଅନୁଯାୟୀ ମ୍ୟାଚ ରେଫରି ପ୍ରକାଶ ଭଟ୍ଟ ଏହି ଜରିମାନା ଲଗାଇଛନ୍ତି।
ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ପୂରଣ କରିପାରି ନ ଥିବା ଦଳ ଉପରେ ପ୍ରତ୍ୟେକ କମ ଓଭର ପାଇଁ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଲାଗିଥାଏ। ଭାରତୀୟ ଅଧିନାୟକ ଶୁବମନ ଗିଲ ଏବଂ ୱେଷ୍ଟଇଣ୍ଡିଜ ଅଧିନାୟକ ଶାଇ ହୋପ ଉଭୟ ଜରିମାନାକୁ ସୱୀକାର କରିନେଇଛନ୍ତି। ତେଣୁ ଏହି ମାମଲାରେ ଆଉ କୌଣସି ଶୁଣାଣିର ଆବଶ୍ୟକତା ନାହିଁ।