ଦୁବାଇ,୫ା୫: ୩ ଥରର ବିଶ୍ୱକପ୍ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ ସଫଳତାର ସହିତ ଟି୨୦ ବିଶ୍ୱକପ୍ ଟାଇଟଲ ବଜାୟ ରଖିବା ସହ ରେକର୍ଡ ତୃତୀୟଥର ପାଇଁ ଟ୍ରଫି ଜିତି ଇତିହାସ ରଚିଥିଲା।
ପ୍ରକାଶିତ ର଼୍ୟାଙ୍କିଙ୍ଗ୍ସରେ ୨୦୨୫ ମେ’ଠାରୁ ଖେଳାଯାଇଥିବା ସମସ୍ତ ମ୍ୟାଚ୍ର ୧୦୦ ପ୍ରତିଶତ ଓ ଗତ ଦୁଇବର୍ଷରେ ଖେଳାଯାଇଥିବା ମ୍ୟାଚ୍ର ୫୦ ପ୍ରତିଶତ ଅଂଶ ରହିଛି। ଭାରତ ୨୭୫ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଇଂଲଣ୍ଡ (୨୬୨) ଓ ଅଷ୍ଟ୍ରେଲିଆ (୨୫୮) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଟପ୍-୭ ଦଳ ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ନ୍ୟୁଜିଲାଣ୍ଡ(୨୪୭), ଦକ୍ଷିଣ ଆଫ୍ରିକା(୨୪୪), ପାକିସ୍ତାନ(୨୪୦) ଓ ଓ୍ବେଷ୍ଟଇଣ୍ଡିଜ୍(୨୩୩) ଟପ୍-୭ ମଧ୍ୟରେ ରହିଛନ୍ତି। କିନ୍ତୁ ଶ୍ରୀଲଙ୍କା(୨୨୧) ନବମ ସ୍ଥାନକୁ ଖସିଥିବା ବେଳେ ବାଂଲାଦେଶ(୨୨୫) ୮ମ ସ୍ଥାନକୁ ଉଠିଛି। ଆଫଗାନିସ୍ତାନ(୨୨୦) ଦଶମ ସ୍ଥାନରେ ଥିବା ବେଳେ ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ ଯଥାକ୍ରମେ ଏକାଦଶ ଏବଂ ଦ୍ୱାଦଶ ସ୍ଥାନରେ ରହିଛନ୍ତି।