ନୂଆଦିଲ୍ଲୀ,୧୬।୯: ICC ପକ୍ଷରୁ ବୁଧବାର ନୂଆ T20 ରାଙ୍କିଂ ଜାରି କରାଯାଇଛି। ଏଥିରେ ଭାରତୀୟ ବ୍ୟାଟର୍ ଅଭିଷେକ ଶର୍ମାଙ୍କୁ ବଡ଼ ଫାଇଦା ମିଳିଛି। ସେ T20 ବ୍ୟାଟିଂ ରାଙ୍କିଂରେ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି T20 ବୋଲିଂ ରାଙ୍କିଂର ଟପ-୫ରେ ଭାରତର ବରୁଣ ଚକ୍ରବର୍ତ୍ତୀ ପ୍ରବେଶ କରିଛନ୍ତି।
ଭାରତୀୟ ଓପନର୍ ଅଭିଷେକ ଶର୍ମା ICC T20 ବ୍ୟାଟିଂ ରାଙ୍କିଂରେ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୮୬୨ରେ ପହଞ୍ଚିଛି। ଅନ୍ୟପଟେ ପାକିସ୍ତାନର ସାହିବଜାଦା ଫରହାନ ୮୪୮ ରେଟିଂ ପଏଣ୍ଟ ସହ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଛନ୍ତି। ଟପ-୫ ବ୍ୟାଟର୍ ତାଲିକାରେ ଏହା ହିଁ ଏକମାତ୍ର ପରିବର୍ତ୍ତନ ହୋଇଛି। ୯୧୩ ରେଟିଂ ପଏଣ୍ଟ ସହ ଈଶାନ କିଶନ ଏବେ ମଧ୍ୟ T20 ବ୍ୟାଟିଂ ରାଙ୍କିଂର ଶୀର୍ଷରେ ରହିଛନ୍ତି। ଇଂଲଣ୍ଡର ଫିଲ ସଲ୍ଟ ଚତୁର୍ଥ ଏବଂ ଦକ୍ଷିଣ ଆଫ୍ରିକାର ଡେୱାଲ୍ଡ ବ୍ରେଭିସ ପଞ୍ଚମ ସ୍ଥାନରେ ଅଛନ୍ତି।
T20 ବୋଲିଂ ରାଙ୍କିଂରେ ମଧ୍ୟ ଭାରତ ପାଇଁ ଭଲ ଖବର ଆସିଛି। ଭାରତୀୟ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଦୁଇଟି ସ୍ଥାନ ଉପରକୁ ଉଠି ଟପ-୫ରେ ପ୍ରବେଶ କରିଛନ୍ତି। ବରୁଣ ୬୭୮ ରେଟିଂ ପଏଣ୍ଟ ସହ ସପ୍ତମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ଫଳରେ ସେ ଏବେ T20 ବୋଲିଂ ରାଙ୍କିଂରେ ଭାରତର ଶୀର୍ଷ ରାଙ୍କଧାରୀ ବୋଲର୍ ହୋଇଛନ୍ତି। T20 ବୋଲିଂ ରାଙ୍କିଂର ଶୀର୍ଷ ସ୍ଥାନରେ ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ରାଶିଦ ଖାନ ରହିଛନ୍ତି। ତାଙ୍କ ନାମରେ ୭୪୪ ରେଟିଂ ପଏଣ୍ଟ ରହିଛି। ପାକିସ୍ତାନର ଅବରାର ଅହମଦ ୭୩୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ନୂଆ ରାଙ୍କିଂରେ ଅଭିଷେକ ଶର୍ମାଙ୍କ ଟପ-୨ରେ ପ୍ରବେଶ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଟପ-୫ରେ ଏଣ୍ଟ୍ରି ଭାରତୀୟ କ୍ରିକେଟ ପାଇଁ ଦୁଇଟି ବଡ଼ ଅପଡେଟ୍ ହୋଇଛି।