ନୂଆଦିଲ୍ଲୀ, ୨।୧୧: ଆଇସିସି ପୁରୁଷ ଦିନିକିଆ ଟିମ ରାଙ୍କିଂରେ ଷଷ୍ଠ ସ୍ଥାନକୁ ଉଠିଛି ଅଫଗାନିସ୍ତାନ କ୍ରିକେଟ ଦଳ। ଶ୍ରୀଲଙ୍କାକୁ ପଛରେ ପକାଇ ଏହି ସଫଳତା ହାସଲ କରିଛି ଦଳ। ଏହା ଅଫଗାନିସ୍ତାନର ଦିନିକିଆ କ୍ରିକେଟ ଇତିହାସରେ ସର୍ବୋଚ୍ଚ ରାଙ୍କିଂ। ଅନ୍ୟପଟେ ଭାରତୀୟ କ୍ରିକେଟ ଦଳ ଶୀର୍ଷ ସ୍ଥାନରେ ନିଜର ସ୍ଥିତି ବଜାୟ ରଖିଛି। ଭାରତର ମୋଟ ୪୧୨୨ ପଏଣ୍ଟ ଓ ୧୧୫ ରେଟିଂ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ୩୮୦୯ ପଏଣ୍ଟ ଓ ୧୦୯ ରେଟିଂ ରହିଛି।
୨୦୦୯ରେ ଅଫଗାନିସ୍ତାନ କ୍ରିକେଟ ଦଳ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲା। ଏହାପରଠାରୁ ୧୭ ବର୍ଷର ଯାତ୍ରାରେ ଦଳ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଛି। କେବଳ ଦିନିକିଆ ନୁହେଁ, ଟି-୨୦ କ୍ରିକେଟରେ ମଧ୍ୟ ଦଳର ଉନ୍ନତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ୨୦୨୩ ଦିନିକିଆ ବିଶ୍ୱକପରେ ଅଫଗାନିସ୍ତାନ ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ସେହିପରି ୨୦୨୪ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ପହଞ୍ଚିଥିଲା ଦଳ। ଏହାବ୍ୟତୀତ ଅନେକ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଛି।
ଆଇସିସିର ସୂଚନା ଅନୁଯାୟୀ, ଅଫଗାନିସ୍ତାନ ଦଳ ମୋଟ ୧୯୧ଟି ଦିନିକିଆ ମ୍ୟାଚ ଖେଳି ୯୬ଟିରେ ବିଜୟୀ ହୋଇଛି। ଦଳର ବିଜୟ-ପରାଜୟ ଅନୁପାତ ୧.୦୯ ରହିଛି, ଯାହାକି ଏକ ଉଲ୍ଲେଖନୀୟ ପ୍ରଦର୍ଶନ। ଅଫଗାନିସ୍ତାନ ପୂର୍ବରୁ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ଭଳି ଦଳଠାରୁ ଆଗରେ ରହିଥିଲା। ଏବେ ଶ୍ରୀଲଙ୍କାକୁ ପଛରେ ପକାଇ ଷଷ୍ଠ ସ୍ଥାନ ହାସଲ କରିଛି।
ନିକଟରେ ଖେଳାଯାଇଥିବା ସିରିଜରେ ମଧ୍ୟ ଅଫଗାନିସ୍ତାନର ପ୍ରଦର୍ଶନ ଚମତ୍କାର ରହିଥିଲା। ଆୟରଲ୍ୟାଣ୍ଡ ବିପକ୍ଷ ସିରିଜକୁ ୪-୦ରେ ଜିତିଥିଲା ଦଳ। ଏହାସହ ଜିମ୍ବାୱେ ଓ ବାଂଲାଦେଶ ସହ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ମଧ୍ୟ କୌଣସି ମ୍ୟାଚ ହାରିନଥିଲା।
ରାଙ୍କିଂର ଶୀର୍ଷରେ ଭାରତ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି। ୧୦୪ ରେଟିଂ ଓ ୩୫୪୭ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନ ଚତୁର୍ଥ ସ୍ଥାନରେ ରହି ଅଷ୍ଟ୍ରେଲିଆକୁ ପଛରେ ପକାଇଛି। ପାକିସ୍ତାନର ରେଟିଂ ୧୦୪ ଥିବା ବେଳେ ଅଷ୍ଟ୍ରେଲିଆର ରେଟିଂ ୧୦୨ ରହିଛି। ଏହି ଦଳଗୁଡ଼ିକ ଟପ-୫ରେ ସ୍ଥାନ ପାଇଛନ୍ତି।
୯୪ ରେଟିଂ ଓ ୨୯୨୬ ପଏଣ୍ଟ ସହ ଅଫଗାନିସ୍ତାନ ଷଷ୍ଠ ସ୍ଥାନକୁ ଉଠିଛି। ଅନ୍ୟପଟେ ଶ୍ରୀଲଙ୍କା ଷଷ୍ଠ ସ୍ଥାନରୁ ସପ୍ତମ ସ୍ଥାନକୁ ଖସିଛି। ଶ୍ରୀଲଙ୍କାର ରେଟିଂ ୯୪ ଓ ପଏଣ୍ଟ ୪୧୪୪ ରହିଛି।
ଆଇସିସି ଦିନିକିଆ ଦଳ ରାଙ୍କିଂ
1. ଭାରତ
2. ନ୍ୟୁଜିଲାଣ୍ଡ
3. ଦକ୍ଷିଣ ଆଫ୍ରିକା
4. ପାକିସ୍ତାନ
5. ଅଷ୍ଟ୍ରେଲିଆ
6. ଆଫଗାନିସ୍ତାନ
7. ଶ୍ରୀଲଙ୍କା
8. ଇଂଲଣ୍ଡ
9. ବାଂଲାଦେଶ