Categories: ଖେଳ

ସାଲିଭା ବ୍ୟବହାରକୁ ବାରଣ କଲା ଆଇସିସି

ଦୁବାଇ, ୨୧ା୯ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାର ଖେଳ ନିୟମରେ କେତେକ ପରିବର୍ତ୍ତନ କରିଛି। ସେଥିରେ ବଲ୍‌କୁ ପଲିସ୍‌ କରିବା ଲାଗି ସାଲିଭା (ଛେପ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ନିୟମଗୁଡ଼ିକ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ଏଣିକି ଜଣେ ନନ୍‌ ଷ୍ଟ୍ରାଇକରଙ୍କୁ ବୋଲର ରନ୍‌ଆଉଟ କଲେ ତାହାକୁ ‘ଅନ୍‌ ଫେୟାର ପ୍ଲେ’ ନ ଦର୍ଶାଇ ବିଧିବଦ୍ଧ ରନ ଆଉଟ ବୋଲି ବିବେଚନା କରାଯିବ। ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ଦେଇଥିବା ସୁପାରିସକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଅନୁମୋଦ କରିବା ପରେ ଏହି ପରିବର୍ତ୍ତନ ଘୋଷଣା କରାଯାଇଛି। ଆଇସିସି ପୂର୍ବରୁ କୋଭିଡ୍‌ ଦୃଷ୍ଟିରୁ ବଲ୍‌ ପଲିସ୍‌ କରିବା ଲାଗି ସାଲିଭା ବ୍ୟବହାରକୁ ସାମୟିକ ବାରଣ କରିଥିଲା। ହେଲେ କ୍ରିକେଟ ଖେଳ ନିୟମର ସଂରକ୍ଷକ ମେରିଲବୋନ୍‌ କ୍ରିକେଟ କ୍ଲବ (ଏମ୍‌ସିସି) ମାର୍ଚ୍ଚରେ ଏହାର ୨୦୨୨ କୋଡ୍‌ରେ ସଂଶୋଧନ ଆଣି ଛେପ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିଥିଲା। ଏଣିକି ଜଣେ ବ୍ୟାଟର କ୍ୟାଚ ଆଉଟ ହେବା ପରେ ନୂଆ ବ୍ୟାଟର ଜଣକ ଷ୍ଟ୍ରାଇକର ଯେଉଁ ପାର୍ଶ୍ୱରେ ରହିଥିବେ ସେହିପଟୁ ଖେଳ ଆରମ୍ଭ କରିବେ। ନୂଆ ନିୟମ ଅନୁସାରେ ଏଣିକି ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆରେ ଇନ୍‌କମିଙ୍ଗ ବ୍ୟାଟରଙ୍କୁ ଷ୍ଟ୍ରାଇକ୍‌ ନେବାଲାଗି ଦୁଇ ମିନିଟ ମଧ୍ୟରେ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏକ୍ଷେତ୍ରରେ ଅନ୍ତର୍ଜାତୀୟ ଟି୨୦ରେ ରହିଥିବା ୯୦ ସେକେଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ନାହିଁ। କୌଣସି ବଲ୍‌ ସାମ୍‌ନା କରିବା ବେଳେ ଯଦି ବ୍ୟାଟର ପିଚ୍‌ ଛାଡ଼ିବାକୁ ବାଧ୍ୟହୁଏ ତେବେ ତାହାକୁ ନୋ ବଲ୍‌ ବୋଲି ଧରିନିଆଯିବ। ଯଦି କୌଣସି ବୋଲର ଜାଣିଶୁଣି ଅଯୌକ୍ତିକ ବୋଲିଂ କରେ ଅମ୍ପାୟର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିବା ସହ ୫ ରନ ପେନାଲ୍ଟି କରିପାରନ୍ତି। ଅନ୍ୟ ଏକ ପ୍ରମୁଖ ନିଷ୍ପତ୍ତି ଅନୁସାରେ ଟି୨୦ରେ ଯଦି ଦଳ ନିର୍ଦ୍ଧାରିିତ ସମୟକୁ ପାଳନ କରିବାରେ ବିଫଳ ରୁହେ ଏବଂ ସ୍ଲୋ ଓଭର ରେଟ୍‌ରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଦଣ୍ଡ ସ୍ବରୂପ ୩୦ ଗଜ ସର୍କଲ ବାହାରେ ଜଣେ ଫିଲ୍ଡର ହ୍ରାସ କରିବାକୁ ହେବ।

Share