ICCର ବଡ଼ ଘୋଷଣା; ଭାରତରେ ଏହି ଦିନଠୁ ଖେଳିଯିବ ବିଶ୍ବକପ୍

ନୂଆଦିଲ୍ଲୀ,୧୫ା୧୧: କ୍ରିକେଟ୍‌ପ୍ରେମୀଙ୍କ ପାଇଁ ବଡ଼ ଖବର । ୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପ୍‌ ଫାଇନାଲ୍‌ ଓ ଦିନିକିଆ ବିଶ୍ୱକପ୍‌କୁ ନେଇ ଉତ୍ସାହ ମଧ୍ୟରେ ଆଗାମୀ ୧୨ଟି ପୁରୁଷ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରିଛି ଆଇସିସି । ୨୦୨୮ରୁ ୨୦୩୫ ମଧ୍ୟରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌, ଦିନିକିଆ ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପ୍‌ ଫାଇନାଲ୍‌ର ଶେଡ୍ୟୁଲ୍‌ ୱିଣ୍ଡୋ ସ୍ପଷ୍ଟ କରିଛି ଆଇସିସି।

ରବିବାର, ନଭେମ୍ବର ୧୫ ତାରିଖରେ ଆଇସିସି ଏହି ଘୋଷଣା କରିଛି । ଇଣ୍ଡୋନେସିଆର ବାଲିରେ କିଛି ଦିନ ତଳେ ଅନୁଷ୍ଠିତ ବୈଠକରେ ଆଗାମୀ ବଡ଼ ପୁରୁଷ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟଗୁଡ଼ିକର ଅବଧି ଓ ଆୟୋଜନ ସମୟସୀମା ଉପରେ ଆଲୋଚନା ପରେ ଏହାକୁ ଅନୁମୋଦନ ମିଳିଥିଲା। ଏହି ତାଲିକାରେ ୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ଠାରୁ ଆରମ୍ଭ କରି ୨୦୩୫ର ଦିନିକିଆ ବିଶ୍ୱକପ୍‌ ପର୍ଯ୍ୟନ୍ତ ସାମିଲ ରହିଛି । ତେବେ ୨୦୩୨ରୁ ୨୦୩୫ ମଧ୍ୟରେ ହେବାକୁ ଥିବା ଦୁଇଟି ଟି-୨୦ ବିଶ୍ୱକପ୍‌, ଦୁଇଟି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପ୍‌ ଫାଇନାଲ୍‌, ଗୋଟିଏ ଚାମ୍ପିୟନ୍ସ ଟ୍ରଫି ଓ ଗୋଟିଏ ଦିନିକିଆ ବିଶ୍ୱକପ୍‌ର ଆୟୋଜକ ଦେଶ ସମ୍ପର୍କରେ ଏବେ ସୁଦ୍ଧା ଘୋଷଣା ହୋଇନାହିଁ।

ଆଇସିସିର ଘୋଷଣା ଅନୁସାରେ, ୨୦୨୮ରୁ ୨୦୩୫ ମଧ୍ୟରେ ଭାରତରେ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ୨୦୩୦ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ଉଭୟ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବର ମାସରେ ଆୟୋଜିତ ହେବାକୁ ଯୋଜନା ରହିଛି। ୨୦୩୦ ଚାମ୍ପିୟନ୍ସ ଟ୍ରଫି ଅକ୍ଟୋବର ୯ରୁ ୨୮ ତାରିଖ ମଧ୍ୟରେ ଖେଳାଯିବ। ସେହିପରି ୨୦୩୧ ଦିନିକିଆ ବିଶ୍ୱକପ୍‌ ପାଇଁ ଅକ୍ଟୋବର ୯ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଏହି ବିଶ୍ୱକପ୍‌ ଭାରତ ଓ ବାଂଲାଦେଶ ମିଳିତ ଭାବେ ଆୟୋଜନ କରିବେ ।

 

Dharitri – Odisha’s No.1 Odia Daily

Share