Categories: ଫୁରସତ

ବିବାହ ଏଡ଼ାଇବାକୁ ଆଇଏଏସ୍‌

ଚଣ୍ଡିଗଡ଼: କଠିନ ପରିଶ୍ରମ ଆଉ ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ନିଧି ସିବାଚ। ବିବାହ ପ୍ରସ୍ତାବକୁ ଏଡ଼ାଇବା ଜିଦ୍‌ରେ ଏବେ ସେ ଆଇଏଏସ୍‌ ଅଫିସର ହୋଇପାରିଛନ୍ତି। ହରିୟାଣାର ଗୁରୁଗ୍ରାମରେ ରହନ୍ତି ନିଧି ସିବାଚ। ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ପାଇବା ପରେ ସେ ହାଇଦ୍ରାବାଦରେ ଏକ କମ୍ପାନୀରେ ଚାକିରି କରିଥିଲେ। ମୋଟା ଅଙ୍କର ଦରମା ବି ପାଉଥିଲେ। କିନ୍ତୁ ଚାକିରିକୁ ନେଇ ସେ ସନ୍ତୁଷ୍ଟ ନ ଥିଲେ। କାରଣ ସେ ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ। ତେଣୁ ଚାକିରି ଛାଡ଼ି ଘରକୁ ଚାଲି ଆସିଥିଲେ ୟୁପିଏସ୍‌ସି ପରୀକ୍ଷା ଦେବା ପାଇଁ। କିନ୍ତୁ ଘର ଲୋକଙ୍କୁ ତାଙ୍କର ଏଭଳି ନିଷ୍ପତ୍ତି ପସନ୍ଦ ଆସି ନ ଥିଲା। ତେଣୁ ସେ ତାଙ୍କର ବିବାହ ଶୀଘ୍ର କରାଇ ଦେବାକୁ ଚାହୁଁଥିଲେ। ଝିଅଟିଏ ହୋଇ ଅଧିକ ପଢ଼ିବା କିଛି ଆବଶ୍ୟକ ନାହିଁ, ବରଂ ବିବାହ କରି ଘର ସଂସାର କରିବା ଉଚିତ ବୋଲି ଘର ଲୋକେ କହିଥିଲେ। କିନ୍ତୁ ନିଧି କାହା କଥା ମାନିବାକୁ ପ୍ରସ୍ତୁତ ନ ଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଚାକିରି ଛାଡ଼ି ଆସିବା ପରେ ଭଲ ଭାବରେ ପ୍ରସ୍ତୁତ ହୋଇ ନ ଥିବାରୁ ସେ ପ୍ରଥମ ଥର ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନ ଥିଲେ। ତେଣୁ ଘର ଲୋକେ ତୁରନ୍ତ ତାଙ୍କର ବିବାହ କରାଇଦେବା ପାଇଁ ଜିଦ୍‌ ଧରିଥିଲେ। ମାତ୍ର ଘର ଲୋକଙ୍କୁ ଚ୍ୟାଲେଞ୍ଜ କରି ନିଧି ୬ ମାସ ପଢ଼ାପଢ଼ି କରିବା ପରେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ତା’ ପରଠାରୁ ସେ କାହା ସହ କୌଣସି କଥାବାର୍ତ୍ତା ନ କରି ମନଦେଇ ପଢ଼ିବା ଆରମ୍ଭ କରିଥିଲେ। ମାତ୍ର ୬ ମାସର ପ୍ରସ୍ତୁତି ପରେ ସେ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି। ଏବେ ସେ ଆଇଏଏସ୍‌ ପରୀକ୍ଷାରେ ୮୫ ର଼୍ୟାଙ୍କ ରଖି ସଫଳତା ପାଇଛନ୍ତି। କଠିନ ପରିଶ୍ରମ ଓ ଜିଦ୍‌ କରି ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି। ତେଣୁ ଏବେ ସେ ବିବାହ ନ କରି ବରଂ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି କହିଛନ୍ତି। ଘର ଲୋକେ ବି ନିଧିଙ୍କ କଥାକୁ ଏବେ ଖୁସିରେ ସମର୍ଥନ କରୁଛନ୍ତି।

Share