Categories: ଫୁରସତ

ଏକଦା ସାଇକେଲ ପଙ୍କଚର ମାରୁଥିବା ବରୁଣ ଏବେ ଆଇଏଏସ୍‌ ଅଫିସର, ୟୁପିଏସ୍‌ସିରେ ମିଳିଲା ୩୨ ର଼୍ୟାଙ୍କ…

କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହି ଧାଡିଟି ଆଇଏଏସ୍‌ ବରୁଣା ବରନଓ୍ବାଲଙ୍କ ଉପରେ ପ୍ରଯୁଜ୍ୟ ବୋଲି କହିପାରିବା। କାରଣ ପିଲାଦିନେ ସେ ନିଜ ବାପାଙ୍କୁ ହରାଇଥିଲେ। ପରିବାରର ବୋଝ ଉପରେ ପଡ଼ିବା ପରେ ସେ ବାପାଙ୍କ ସାଇକେଲ ପଙ୍କଚର ମାରିବା ଦୋକାନରେ କାମ କରିଥିଲେ। ହେଲେ ପାଠପଢ଼ା ଛାଡ଼ି ନ ଥିଲେ। ଶେଷରେ ସେ ଅଫିସର ହେବାକୁ ଦେଖିଥିବା ସ୍ବପ୍ନ ସାକାର ହୋଇଛି।

ମହାରାଷ୍ଟ୍ରର ବାଇସୋର ସହରରେ ରହୁଥିବା ବରୁଣ ଏବେ ପ୍ରତିଟି କଠିନ ପରିସ୍ଥିତିରେ ସ୍ବପ୍ନ ଦେଖୁଥିବା ପ୍ରତିଟି ଯୁବକ ଲାଗି ପ୍ରେରଣା ପାଲଟିଛନ୍ତି। ପରିସ୍ଥିତି ପ୍ରତିକୂଳ ଥିଲେ ହେଁ ସେ ଦେଶର ସବୁଠାରୁ କଠିନ ପରୀକ୍ଷା ପାସ୍‌ କରିଛନ୍ତି। ବରୁଣ ଛାତ୍ର ଜୀବନରୁ ଆଇଏଏସ୍‌ ହେବାର ଯାତ୍ରା ମଧ୍ୟରେ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ପଙ୍କଚର ମାରି ପରିବାରକୁ ଚଳାଇବା ସହ ସେ ୟୁପିଏସ୍‌ସି ଲାଗି ପ୍ରସ୍ତୁତ ହେଉଥିଲେ। ୮ ବର୍ଷର କଠିନ ପରିଶ୍ରମ ପରେ ସିଭିଲ ସେବା ପରୀକ୍ଷାରେ ସେ ସମଗ୍ର ଦେଶରେ ୩୨ ର଼୍ୟାଙ୍କ ପାଇବାରେ ସଫଳ ହୋଇଛନ୍ତି।

ଟଙ୍କାପଇସାର ଅଭାବକୁ ନେଇ ବରୁଣ ପାଠପଢ଼ା ଛାଡ଼ିଥିଲେ। ପରେ ତାଙ୍କୁ ଜଣେ ଚିହ୍ନା ଡାକ୍ତର ପଢ଼ା ପୁଣିଥରେ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି କଲେଜରେ ତାଙ୍କ ଆଡମିଶନ କରାଇଦେଇଥିଲେ। ଦ୍ୱାଦଶ ପରେ ବରୁଣ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ନିଜର ଖର୍ଚ୍ଚ ବାହାର କରିବାକୁ ସେ ସାଇକେଲ ଦୋକାନ ଚଳାଇବା ସହ ଟ୍ୟୁଶନ ମଧ୍ୟ ପଢ଼ାଉଥିଲେ। ପ୍ରଥମ ସେମିଷ୍ଟରରେ ଟପ୍‌ କରିବା ପରେ କଲେଜରୁ ତାଙ୍କୁ ସ୍କଲାରସିପ୍‌ ମିଳିଥିଲା। ସେ ପାଠପଢ଼ା ସହ ସମାଜସେବା କାମରେ ମଧ୍ୟ ସାମିଲ ରହୁଥିଲେ। ଶେଷରେ ପଙ୍କଚର ଠିକ୍‌ କରୁଥିବା ବରୁଣ ଏବେ ନିଜ ପରିଶ୍ରମ ଯୋଗୁ ଆଇଏଏସ୍‌ ଅଫିସର ହେବାରେ ସଫଳ ହୋଇଛନ୍ତି।

Share